ସମ୍ବଲପୁରରୁ ଆସିଲା ପୁଣି ରକ୍ତ ଅଭାବର ଖବର । ଜିଲ୍ଲା ମୁଖ୍ୟାଳୟ ରକ୍ତ ଭଣ୍ଡାରରେ ରୋଗୀଙ୍କୁ ମିଳୁନି ପର୍ଯ୍ୟାପ୍ତ ରକ୍ତ ।

91

କନକ ବ୍ୟୁରୋ: କିଛି ଦିନ ତଳେ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଘଟଣା ସାମ୍ନାକୁ ଆସିଥିଲା । ଏବେ ସମ୍ବଲପୁର ରକ୍ତ ଭଣ୍ଡାରରେ ବି ସମାନ ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବୁନ୍ଦାଏ ବି ରକ୍ତ ନାହିଁ । ଜିଲ୍ଲାରେ ଦୈନିକ ୨୫- ୩୦ଟି ୟୁନିଟ ରକ୍ତ ଆବଶ୍ୟକ ହେଉଥିବା ବେଳେ ସେହି ଅନୁପାତରେ ରକ୍ତଦାନ ଶିବିର ହୋଇପାରୁନାହିଁ ତେଣୁ ରକ୍ତ ଅଭାବ ଦେଖାଦେଉଛି । ଏବେ କେବଳ ଅଦଳବଦଳ ପ୍ରକ୍ରିୟାରେ ରକ୍ତ ଦିଆଯାଉଛି କିନ୍ତୁ କିଛି ନିର୍ଦ୍ଧିଷ୍ଟ ରୋଗୀଙ୍କୁ ବିନା ଏକ୍ସଚେଞ୍ଜରେ ରକ୍ତ ଦେବାର ନିୟମ ରହିଥିବା ବେଳେ ରକ୍ତ ସଙ୍କଟ ସେମାନଙ୍କ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିଛି ।
ରକ୍ତ ଭଣ୍ଡାରରେ ରକ୍ତ ନଥିବାରୁ ରୋଗୀ ସମ୍ପର୍କୀୟ ନିରାସ ହୋଇ ଫେରୁଛନ୍ତି । କିଛି ବ୍ୟକ୍ତି ରକ୍ତଦାତା ଯୋଗାଡ କରି ସଂପର୍କୀୟଙ୍କ ପାଇଁ ରକ୍ତ ନେଉଛନ୍ତି । ଆଉ ଯେତେବେଳେ ରକ୍ତଦାତା ମିଳୁନାହାନ୍ତି ସେତେବେଳେ ରୋଗୀଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି । ସଂପୂର୍ଣ୍ଣ ସ୍ଥିତିକୁ ଦେଖିଲେ ଜଣାପଡେ, ଯେଉଁ ପର୍ଯ୍ୟନ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ରକ୍ତଦାନ ଶିବିର ନହୋଇଛି, ସେ ପର୍ଯ୍ୟନ୍ତ ସମ୍ବଲପର ଜିଲ୍ଲାରେ ରକ୍ତ ସଂକଟ ଲାଗି ରହିବ ।