ରକ୍ତର ହିସାବ ମାଗିଲେ ଜନତା

31

କଟକ ବ୍ୟୁରୋ, କନକ ନ୍ୟୁଜ୍ : କୁହାଯାଏ-ରକ୍ତ ଦାନ ମହାପୂଣ୍ୟ । ଏହି ସ୍ଲୋଗାନ୍ ଦେଇ ରକ୍ତ ସଂଗ୍ରହ ବି ହୁଏ । ହେଲେ ସଂଗୃହିତ ରକ୍ତ ଯଦି ବ୍ୟବହାର ନହୁଏ, ତେବେ କିଭଳି ବାର୍ତା ଯିବ ରକ୍ତଦାତା ଓ ସଂଗ୍ରହ କରୁଥିବା ସ୍ୱେଚ୍ଛାସେବୀଙ୍କ ନିକଟକୁ ।

ତେବେ ସଂଗୃହିତ ରକ୍ତର କିଭଳି ବ୍ୟବହାର ହେଉଛି ତାହା ଦେଖିବାକୁ ମିଳିଛି କଟକ ମଙ୍ଗଳାବାଗ କାଠଗୋଲା ସାହି ରାସ୍ତାରେ । ଏକାଧିକ ରକ୍ତ ପ୍ୟାକେଟ ରାସ୍ତା କଡରେ ଓ ଦୋକାନ ବାରଣ୍ଡାରେ ଦେଖିବାକୁ ମିଳିଛି । ସେଥିରୁ କେତକ ପ୍ୟାକେଟ ଫାଟିଯାଇଛି । କିଛି ପ୍ୟାକେଟରେ ରକ୍ତ ବ୍ୟବହାର ଉପଯୋଗୀ ନୁହେଁ ଅର୍ଥାତ୍ ଏକ୍ସପାରୀ ଡେଟ୍ ଚାଲିଯାଇଛି । ମାତ୍ର ସଂଗୃହିତ ରକ୍ତକୁ ନିର୍ଦ୍ଦିଷ୍ଟ ଉପାୟ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ନଷ୍ଟ କରିବା ପରିବର୍ତେ ଏମତି ରାସ୍ତାକଡ଼ରେ ପିଙ୍ଗି ଦିଆଯାଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା କେତେଥର ସାମନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଛି । କିନ୍ତୁ କୌଣସି ଘଟଣାରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏ ପ୍ରକାର ରକ୍ତ ପ୍ୟାକେଟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି ।

ରାସ୍ତାକଡ଼ରେ ରକ୍ତ ପ୍ୟାକେଟ୍ ପଡ଼ି ରହିବା ସଂପର୍କରେ ଏସସିବି ମେଡ଼ିକାଲ କର୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ସଫେଇ ଦେଇଛନ୍ତି ରେଡକ୍ରସ୍ କର୍ତୃପକ୍ଷ । ଏପଟେ ଜିଲ୍ଲାପାଳ କହୁଛନ୍ତି ଘଟଣା ସଂପର୍କରେ ସବିଶେଷ ତଥ୍ୟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।