ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ: ବିଜେଡି, ବିଜେପି କର୍ମୀ ଧସ୍ତାଧସ୍ତି, ବିରୋଧ ସତ୍ତେ୍ୱ ସଚିବଙ୍କ ସଭା

105

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗଞ୍ଜାମ ଗସ୍ତର ଶେଷ ଦିନରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ବିଜେପି । କଳାପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି ନେତା ଓ କର୍ମୀ । ବିଜେପି କର୍ମୀ ବିରୋଧ କରୁଥିବାବେଳେ ଦିଗପହଁଣ୍ଡିରେ ବିଜେଡି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ତେବେ ବିଜେପିର ବିରୋଧ ଭିତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସଚିବ ।
ଫାଇଭ-ଟି ସଚିବ ତୃତୀୟ ଦିନରେ ଗଞ୍ଜାମକୁ ଯାଇଥିବାବେଳେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଖବର । ବିଜେପି ପକ୍ଷରୁ ଦିଗପହଁଣ୍ଡି, ସାନଖେମୁଣ୍ଡି, ଖଲିକୋଟରେ ଭି.କେ.ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରାଯାଇଛି । କଳାପୋଷାକ ପିନ୍ଧି, ମୁଣ୍ଡରେ କଳାପଟି ବାନ୍ଧି, ପ୍ଲାକାର୍ଡ ଦେଖାଇ ପାଣ୍ଡିଆନ ଗୋବ୍ୟାକର ନାରା ଦେଇଛନ୍ତି ବିଜେପି କର୍ମୀ ।

ସଚିବଙ୍କ ଗସ୍ତକୁ ବିଜେପି କର୍ମୀମାନେ ବିରୋଧ କରୁଥିବାବେଳେ ଦିଗପହଁଣ୍ଡିରେ ବିଜେଡି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ବିଜେପି କର୍ମୀ ସଚିବଙ୍କ ବିରୋଧରେ ନାରାବାଜି କରୁଥିବାବେଳେ, ବିଜେଡି କର୍ମୀମାନେ ସମର୍ଥନରେ ନାରାବାଜି କରିଥିଲେ । ଏପରିକି ପୋଲିସ ଉପସ୍ଥିତିରେ ଦୁଇ ଦଳର କର୍ମୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି ।

ବିରୋଧୀଙ୍କ ବିରୋଧ ସତ୍ୱେ କିନ୍ତୁ ଗସ୍ତ ଜାରି ରଖିଛନ୍ତି ଫାଇଭ-ଟି ସଚିବ । ଗଞ୍ଜାମ ଗସ୍ତର ତୃତୀୟ ତଥା ଶେଷ ଦିନରେ ଦିଗପହଁଣ୍ଡି, ଖଲିକୋଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ସହ, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଭି.କେ ପାଣ୍ଡିଆନ୍ । ମାତ୍ର ୨ଦିନ ଭିତରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗସ୍ତର ଶେଷ ଦିନରେ ଫାଇଭ୍-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟିଛନ୍ତି ଦୀପିକା । ତାଙ୍କୁ ଓ ତାଙ୍କ ପିଲାକୁ ନ୍ୟାୟ ଦେବା ଦାବିରେ ଅଭିଯୋଗ ପତ୍ର ଦେଇଛନ୍ତି ।