ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ସବୁ ଠିକ୍ ଥିବା ନେଇ ବାର୍ତା ଦେବାକୁ ବିଜେଡିର ଉଦ୍ୟମ । ୪ ପ୍ରାର୍ଥୀଙ୍କ ସହ ଆସିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ ପାଟଶାଣୀ

198

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ । ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀଙ୍କ ଉଭୟ ପଟେ ବସିଥିଲେ ଦଳର ଉପ-ସଭାପତି ପ୍ରସନ୍ନ ପାଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟ । ଉଭୟ ରାଜ୍ୟସଭା ଦୌଡରେ ଥିବାବେଳେ ଶେଷ ମୁହୁର୍ତରେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା । ରାଜ୍ୟସଭା ପ୍ରାର୍ଥୀ ତାଲିକାର ନଥିଲା ଦୁଇ ବରିଷ୍ଠ ନେତାଙ୍କ ନାମ । ତଥାପି ହାଇ କମାଣ୍ଡଙ୍କ ନିର୍ଦ୍ଦେଶରେ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ଆସି ପହଁଚିଥିଲେ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ ପାଟଶାଣୀ । ଏଭଳି ଦୃଶ୍ୟ ବୟାନ କରୁଛି ଯେ, ସବୁକିଛି ଠିକ୍ ଦେଖାଇବାକୁ ବିଜେଡି ପକ୍ଷରୁ କରାଯାଉଛି ଉଦ୍ୟମ । ଦଳରେ କନ୍ଦଳ ନଥିବା ଦର୍ଶାଇବାକୁ ଦଳ ପକ୍ଷରୁ ଏଭଳି ପ୍ରୟାସ କରାଯାଉଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଅନ୍ୟପଟେ, ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଭରିଛନ୍ତି ନାମାଙ୍କନ । ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନ ଦାଖଲ କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ଶାସକ ଦଳର ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବେ । ଆସନ୍ତା ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ । ସେହିପରି ଜୁନ୍ ୧୩ ତାରିଖରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଥିପାଇଁ ଜୁନ୍ ୨ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ନାମାଙ୍କନ ଭରିବା ସମୟରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ ।