କେବେ ସ୍ପଷ୍ଟ ହେବ ମେଣ୍ଟ ଚିତ୍ର? ଆଜି ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା ।

143

କନକ ବ୍ୟୁରୋ: ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ ନେଇ ସ୍ପଷ୍ଟ ହୋଇପାରେ ଚିତ୍ର । ଆଜି ସକାଳ ୯ଟାରେ ଦିଲ୍ଲୀରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି । ମେଣ୍ଟ ନେଇ ଭୁବନେଶ୍ୱରରେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହମନ୍ତ୍ରୀ ଅମିତ ଶାହ । ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ଡକାଯାଇଥିଲା । କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ଲଢିବ ସେନେଇ ଆଲୋଚନା ହୋଇଥାନ୍ତା । ହେଲେ ହଠାତ୍ ଦିଲ୍ଲୀରୁ ଫୋନ ଆସିଥିଲା । ପରେ ସବୁ କାର୍ଯ୍ୟକ୍ରମ ବାତିଲ କରି ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ବିଜେପି ନେତା ଦିଲ୍ଲୀ ଯାଇଛନ୍ତି । ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କ ଅପରିପକ୍ୱ ପ୍ରତିକ୍ର୍ରିୟା ଏବଂ ଏକତରଫା ବୟାନବାଜି ଉପରେ କେନ୍ଦ୍ରୀୟ ନେତୃତ୍ୱ ଜବାବ ମାଗିବେ ବୋଲି କୁହାଯାଉଛି ।

ଅନ୍ୟପକ୍ଷେ କାଲି ସନ୍ଧ୍ୟା ସୁଦ୍ଧା ବିଦ୍ଧିବଦ୍ଧ ଭାବେ ମେଣ୍ଟ ନେଇ ଘୋଷଣ ହେବ ବୋଲି ଶୁଣିବାକୁ ମିଳୁଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଆସିପାରନ୍ତି । ଏବଂ ଶାହ-ନବୀନ ମେଣ୍ଟସମ୍ପର୍କରେ ଘୋଷଣା କରିବେ ବୋଲି ଦିଲ୍ଲୀ ସୂତ୍ରରୁ ମୂଚନା ମିଳିଛି । ମେଣ୍ଟ ହେବନି, ସବୁ ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ । କିନ୍ତୁ ଗତକାଲି ଦିଲ୍ଲୀ ଯିବା ବେଳେ ମନମୋହନଙ୍କ ସ୍ୱର ସାମାନ୍ୟ ବଦଳିଯାଇଥିଲା । ମେଣ୍ଟକୁ ନେଇ କିଛି କହିବା ଠିକ ନୁହେଁ ବୋଲି ସେ କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ତେବେ ଦୁଇ ଦିନ ଭିତରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।