ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି ସରକାର ଉପରେ ବିଜେପିର ଆକ୍ରମଣ! ପ୍ରେସମିଟ କରି ଅପରାଜିତା ବର୍ଷିଲେ, ଭିଡିଓ ଜାରି କରି ସମାଲୋଚନା କଲେ ଧର୍ମେନ୍ଦ୍ର । ଜବାବ ରଖିଲା ବିଜେଡି

266

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି ସରକାର ଉପରେ ଆକ୍ରମଣ କରିଛି ବିଜେପି । ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରତି ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ଭିଡିଓ ଅପଲୋଡ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ତେବେ ସବୁ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ଜାନୁୟାରୀ ୫ ତାରିଖ ମୋଦୀଙ୍କ ବାରିପଦା ଗସ୍ତ ପୂର୍ବରୁ ଆକ୍ରମଣାତ୍ମକ ମୁଦ୍ରାକୁ ଓହ୍ଲାଇଛି ବିଜେପି । ସେହିଦିନ ପୁରୀରେ ନବୀନଙ୍କ ମହିଳା କାର୍ଡକୁ କାଉଁଟର କରିବାକୁ ଅପରାଜିତାଙ୍କୁ ଆଗକୁ ଆଣିଛି ବିଜେପି । ସ୍ୱୟଂ ସହାୟିକା ଗୋଷ୍ଠୀକୁ ଗତ ଦୁଇ ଆର୍ଥିକ ବର୍ଷରେ କିଛି ସହାୟତା ଦିଆ ନଯାଇଥିବା ବେଳେ କାହିଁକି ନିର୍ବାଚନ ବର୍ଷରେ ଟଙ୍କା ବଂଟା ଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ।

– ଝିଅଙ୍କ ଜନ୍ମ ହାର ହ୍ରାସ

– ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି

– ୧୯୮୪ ଦୁଷ୍କର୍ମ ମାମଲାରେ ୬୩ ପ୍ରତିଶତ ନାବାଳିକା

– ଶୌଚଳୟ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ତଳଆଡୁ ଦ୍ୱିତୀୟ

– ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଟଙ୍କା ବାଣ୍ଟୁଛନ୍ତି

– ୨ ବର୍ଷ ହେଲା ଟଙ୍କା ଦିଆଯାଉନଥିଲା ଏବେ ନିର୍ବାଚନ ବର୍ଷରେ ଟଙ୍କା ବଣ୍ଟା ଯାଉଛି ।

ଏହି ସବୁ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି ଅପରାଜିତା । ତେବେ ଅପରାଜିତାଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ମହିଳା ସଶକ୍ତିକରଣ ଉପରେ ସରକାର ଆଗରୁ କାମ କରୁଛନ୍ତି । ତେଣୁ ଏହାକୁ ନେଇ ରାଜନୀତି ନ କରାଯାଉ ବୋଲି କହିଛି ବିଜେଡି । ସରକାର ମହିଳାଙ୍କୁ ପ୍ରତି କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ଭିଡିଓ ଜାରି କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସରକାରଙ୍କୁ ସ୍ଥାଣୁ, ଅପାରଗ କହିବା ସହ ଜବାବ ମାଗୁଛି ଓଡ଼ିଶା ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାରପଦା ସମାବେଶ ଏବଂ ସେହିଦିନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ କାର୍ଯ୍ୟକ୍ରମ ଥିବାରୁ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି ଦୁଇ ଦଳର ତୁଙ୍ଗ ନେତା । ଯାହା ଫଳରେ ନୂଆବର୍ଷର ଶିତୁଆ ପାଗରେ ବଢିଯାଇଛି ରାଜନୈତିକ ଉଷ୍ମତା ।