ଯନ୍ତ୍ରଣା ବଢ଼ାଇଲା ଅଘୋଷିତ ବିଜୁଳି କାଟ । ତେଜିଲା ଜନ ଅସନ୍ତୋଷ । ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ ।

94

କନକ ବ୍ୟୁରୋ: ବିଦ୍ୟୁତ୍ କାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ତଥାପି ଥମୁନି ବିଦ୍ୟୁତ୍ ବିଭ୍ରାଟ୍ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ବି ଆସିବାରେ ଲାଗିଛି ବିଜୁଳି କାଟ ଅଭିଯୋଗ । ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଆସିଛି ଦୁର୍ବଳ ଭିତ୍ତିଭୂମିର ଚିତ୍ର । ଯାହାର ପତିବାଦରେ ବିଜେପି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ କରିିଛି ।

  • ବିଜୁଳି ବିଭ୍ରାଟ ଜାରି
  • ହଟହଟା ହେଲେ କର୍ମଚାରୀ

ଘଣ୍ଟା ଘଣ୍ଟା ଧରି ବିଜୁଳି କଟିଲେ ବି କେବେ ଆସିବ କାହାକୁ ଜଣାନାହିଁ । କିନ୍ତୁ ଯଦି ବିଦ୍ୟୁତ୍ ବିଲ ପଇଠ କରିବା ଟିକେ ବିଳମ୍ବ ହେଉଛି, ତାହେଲେ ବିଦ୍ୟୁତ୍ କାଟି ଦେଉଛନ୍ତି କର୍ମଚାରୀ । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲକ୍ଷ୍ମୀ ନୃସିହ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଲ୍ ପଇଠ କରିବା ବିଳମ୍ବ ହେବାରୁ, ବିଦ୍ୟୁତ୍ କାଟିବାକୂୁ ଆସିଥିବା ବିଲ କଲେକ୍ଟର ଓ ଲାଇନମ୍ୟାନଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଆସିକା ରୋଡ ଟାଟାପାୱାର ଏସଡିଓ ଆସି କ୍ଷମା ମାଗିବା ପରେ କର୍ମଚାରୀଙ୍କୁ ଛାଡିଛନ୍ତି ଲୋକେ । ସେପଟେ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ରଣପୁରରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ଏସବୁ ଭିତରେ ଦୁର୍ବଳ ଭିତିଭୂମିକୁ ବିଦ୍ୟୁତ୍ ବିଭ୍ରାଟର ପ୍ରମୁଖ କାରଣ କୁହାଯାଉଛି । କିନ୍ତୁ ବର୍ଷ ବର୍ଷ ଧରି ଭିତିଭୂମିକୁ ସଜାଡିବାପାଇଁ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନେ୍ଧକେଲା ଗାଁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ବିନିଶପୁର ପଞ୍ଚାୟତରେ ଏବେ ବି ବିପଦ ସଂକୁଳ ଅବସ୍ଥାରେ ରହିିଛି ଟ୍ରାନ୍ସଫର୍ମର ।

  • ବିଜୁଳି ପାଇଁ ବିକ୍ଷୋଭ
  • ଟାଟା ପାୱାର ଅଫିସ ଘେରାଉ

ବାରମ୍ବାର ବିଜୁଳି କାଟ ପ୍ରତିବାଦରେ ବିଜେପି ଆନ୍ଦୋଳନ ଜାରି ରଖିଛି । ତୃତୀୟ ଦିନରେ ବ୍ରହ୍ମପୁର, ସମ୍ବଲପୁର, ଚାନ୍ଦବାଲି, ଅସ୍ତରଙ୍ଗ, ଧର୍ମଶାଳା, ଆଠଗଡ଼ରେ ଟାଟା ପାୱାର ଅଫିସ ଆଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବ୍ରହ୍ମପୁରରେ ବିଜେପି କର୍ମୀ ଟାଟା ପାୱାର ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସମ୍ବଲପୁରରେ ମଧ୍ୟ ପୋଲିସ ଓ ବିଜେପି କର୍ମୀ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି । ତେବେ ବିଜୁଳି କାଟ ସମସ୍ୟାର ତୁରନ୍ତ ସମାଧାନ ସହ ଶକ୍ତି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେପି ନେତା ।

ସୂଚନାଯୋଗ୍ୟ ଯେ, ଓଡିଶା ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିଲେ ବି ବାରମ୍ବାର ବିଜୁଳି କଟିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ । ଏଥିସହ ଅସହ୍ୟ ଗରମ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।