୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ ଜନତାଙ୍କ ମୁଡ୍ ! ଗଡ଼ ରକ୍ଷା ବିଜେପି ପାଇଁ ବଡ଼ ଆହ୍ୱାନ, ଟ୍ରେଲର୍ ଦେଖାଇପାରେ ରାହୁଲଙ୍କ ନେତୃତ୍ୱ ।
କନକ ବ୍ୟୁରୋ : ୨୦୧୯ର ଫାଇନାଲ ପୂର୍ବରୁ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ହେବାକୁ ଯାଉଛି ରାଜନୀତି ମଇଦାନରେ ସେମିଫାଇନାଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଓ ତେଲେଙ୍ଗାନାରେ ନିର୍ବାଚନ ତାରିଖ ଘୋଷଣା ପରେ ଜୋର ଧରିଛି ଅଙ୍କ କଷା । ଏଥିରେ ଖୋରାକ ଯୋଗାଇଛି ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କ୍ଷମତାକୁ ବଜାୟ ରଖିବା ବିଜେପି ପାଇଁ ଚାଲେଞ୍ଜ ହୋଇଥିବାବେଳେ ମିଜୋରାମରେ ପୁଣି ଥରେ ଦଖଲ କରିବା ଓ ଅନ୍ୟ ରାଜ୍ୟରେ ସରକାରରେ ପରିବର୍ତ୍ତନ ଆଣିବା କଂଗ୍ରେସ ପାଇଁ ବଡ ଚାଲେଞ୍ଜ ହୋଇଛି । କାରଣ ଏହି ନିର୍ବାଚନ ଆଗାମୀ ସାଧାରଣ ନିର୍ବାଚନ ଉପରେ ବଡ ଧରଣର ପ୍ରଭାବ ପକାଇବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବଡ଼ ରାଲି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମେଗା ରୋଡ୍ ସୋ’ ହିଁ ପ୍ରମାଣ କରୁଛି ୨୦୧୯ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉଭୟ କଂଗ୍ରେସ ଓ ବିଜେପି ପାଇଁ କେତେ ଗୁରୁତ୍ୱ ରଖୁଛି । କାହା ସପକ୍ଷରେ ଅଛି ଜନମତ? କାହା ସପକ୍ଷରେ ବୋହୁଛି ହାୱା? ହୁଏତ, ଏହି ସବୁ ପ୍ରଶ୍ନର ଉତ୍ତର ଦେବ, ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ।
ବିଭିନ୍ନ ଗଣମାଧ୍ୟମର ସର୍ଭେ ରିପୋର୍ଟ ଭିତରେ ଲୋକଙ୍କ ଅସଲ ମୁଡ୍ ପରଖିବ ବିଧାନସଭା ନିର୍ବାଚନ ଫଳାଫଳ । ଅର୍ଥାତ୍ ୨୦୧୯ ଫାଇନାଲ ମୁକାବିଲା ପୂର୍ବରୁ ୨୦୧୮ର ବିଧାନସଭା ନିର୍ବାଚନ, ସେମିଫାଇନାଲ ଲଢ଼େଇ ଭାବେ ସାମ୍ନାକୁ ଆସିବାକୁ ଯାଉଛି ।
ନଭେମ୍ବର-ଡିସେମ୍ବର ମାସରେ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନ ବିଜେପି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ । କ୍ରମଶଃ ବଢ଼ୁଥିବା ମୋଦି ବିରୋଧୀ ହାୱା ଭିତରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଯେତେ ବଡ ଆହ୍ୱାନ, ମିଜୋରାମରେ କଂଗ୍ରେସ ଗଡ଼ ବଂଚାଇ ରହିବା ଏବଂ ବିଜେପି ଶାସିତ ରାଜ୍ୟରେ ପରିବର୍ତ୍ତନ ଆଣିବା ରାହୁଲ ଗାନ୍ଧୀଙ୍କ ପାଇଁ ସେତିକି ବଡ ଚ୍ୟାଲେଞ୍ଜ । ଯଦି ରାଜସ୍ଥାନ ଗତ ୪ଟି ବିଧାନସଭା ଫଳାଫଳକୁ ଅନୁଧ୍ୟାନ କରିବା, ତାହେଲେ ପ୍ରତି ୫ ବର୍ଷରେ ଏଠି ସରକାର ପରିବର୍ତନ ହୁଏ । ୧୯୯୮ରେ କଂଗ୍ରେସ, ୨୦୦୩ରେ ବିଜେପି, ୨୦୦୮ରେ କଂଗ୍ରେସ, ୨୦୧୩ରେ ବିଜେପି ।
ଏପଟେ ଦେଶର ରାଜନୀତିରେ ବିଜେପିର ଗଡ଼ ଭାବରେ ପରିଚିତ ମଧ୍ୟପ୍ରଦେଶ । ଏଠି କ୍ରମାଗତ ୩ ଥର ସରକାରରେ ରହି ଆସିଛି ଭାରତୀୟ ଜନତା ପାର୍ଟି । ସେହିପରି ଛତିଶଗଡ଼ରେ ବି କ୍ରମାଗତ ୩ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସି ରହିିଛନ୍ତି ରମଣ ସିଂ । ହେଲେ ବିିଭିନ୍ନ ଗଣମାଧ୍ୟମର ସର୍ଭେ ରିପୋର୍ଟ କହୁଛି, ଏହି ତିନିଟି ରାଜ୍ୟରେ ବିଜେପି, ତା’ର ଗଡ଼କୁ ବଂଚାଇ ରଖିବା ଏତେଟା ସହଜ ହେବ ନାହିଁ । ଯଦିଓ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଅନେକ ଲୋକ ଦେଖିବାକୁ ଚାହାଁନ୍ତି, ହେଲେ ସ୍ଥାନୀୟ ନେତୃତ୍ୱ ଉପରେ ଅସ୍ଥା କମୁଥିବା ସର୍ଭେ ରିପୋର୍ଟ କହୁଛି ।
ଏପଟେ ଏହି ୫ଟି ରାଜ୍ୟର ନିର୍ବଚନ ଫଳାଫଳ ୨୦୧୯ ନିର୍ବାଚନରେ ପ୍ରଭାବ ପକାଇବ ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ତିନି ପ୍ରମୁଖ ଦଳ ନେତା । ଏପଟେ ମିଜୋରାମରେ କଂଗ୍ରେସ ସରକାର ଥିବା ବେଳେ ତେଲେଙ୍ଗାନାରେ କ୍ଷମତାର ମଙ୍ଗ ଥିଲା ଆଂଚଳିକ ଦଳ ହାତରେ । ଉଭୟ ଏନଡିଏ ଓ ୟୁପିଏଠାରୁ ଦୂରତା ବଜାୟ ରଖୁଥିବା କେସିଆରଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଟକ୍କର ଦେବା ବି ଏତେ ସହଜ ନୁହେଁ । ଆଉ ଏସବୁ ଭିତରେ ଦେଖିବାର କଥା, ୨୦୧୮ ବିଧାନସଭା ନିର୍ବାଚନ ଫଳାଫଳ, ୨୦୧୯ ସାଧାରଣ ନିର୍ବାଚନ ପାଇଁ କେଉଁ ବାର୍ତ୍ତା ରଖୁଛି ।