ବିଧାନସଭାରେ ବଦଳିଲା ନବୀନଙ୍କ ଭୂମିକା: ବିରୋଧୀ ଦଳ ନେତା ଆସନରେ ବସିବେ ବିଜେଡି ସୁପ୍ରିମୋ!

622

କନକ ବ୍ୟୁରୋ: ରାଜ୍ୟରେ ନୂଆ ସରକାର ଆସିବା ପରେ ବିରୋଧୀ ଦଳ ନେତା କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । କାଲି ଅପରାହ୍ଣରେ ବିଜେଡିର ବିଧାୟକ ଦଳ ବୈଠକ ରହିଛି । ଚର୍ଚ୍ଚା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇପାରନ୍ତି ।

ବିଧାୟକ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକ ଶାସକ ଦଳର ସଦସ୍ୟଙ୍କୁ ଭେଟିଛନ୍ତି । ଆଉ ଏସବୁ ଭିତରେ ସବୁଠୁ ଚର୍ଚ୍ଚା ସାଉଂଟିଥିଲା, ଯେତେବେଳେ ସାମ୍ନାସାମ୍ନି ହୋଇଥିଲେ ଲକ୍ଷ୍ମଣ ବାଗ ଓ ନବୀନ ପଟ୍ଟନାୟକ । ଟ୍ରେଜେରୀ ବେଂଚରେ ବସିଥିବା ଲକ୍ଷ୍ମଣ ବାଗଙ୍କ ପାଖକୁ ଯେତେବେଳେ ନବୀନ ଯାଇଥିଲେ, ଲକ୍ଷ୍ମଣ ବାଗ ନିଜ ବେଂଚରେ ଛିଡ଼ା ହୋଇ କହିଥିଲେ, ମୁଁ ଲକ୍ଷ୍ମଣ ବାଗ୍ । ଆଉ ନବୀନ ପଟ୍ଟନାୟକ କହିଥିଲେ, ‘ଓ ୟୁ ଡିଫିଟେଡ୍ ମି’ । ଏଇଠୁ ହିଁ ଗୋଟିଏ ସଂକେତ ମିଳିଥିଲା, ଯେ ବିରୋଧୀ ଆସନରେ ବସି ସବୁକିଛି ମୁକାବିଲା କରିବା ଲକ୍ଷ୍ୟରେ ଅଛନ୍ତି ନବୀନ ।

୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଏବେ ବିରୋଧୀ ଭୂମିକାରେ । ଆଉ ଏସବୁ ଭିତରେ ବିଧାନସଭାରେ ବିଜେଡିର ସେନାପତି କିଏ ହେବ? ଯାହାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି । ବୁଧବାର ଅପରାହ୍ଣରେ ବିଜେଡିର ବିଧାୟକ ଦଳ ବୈଠକ ରହିଛି । ୫୧ଜଣ ବିଧାୟକ ସେମାନଙ୍କର ବିଧାୟକ ଦଳ ନେତା ଚୟନ କରିବେ । ଚର୍ଚ୍ଚା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇପାରନ୍ତି । ଆଉ ବିଧାନସଭାରେ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇପାରନ୍ତି ନବୀନ ।

ଏମିତି ମଧ୍ୟ ଚର୍ଚ୍ଚା ହେଉଛି, ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ଭେଟେରାନ ପ୍ରସନ୍ନ ଆଚାର୍ଯ୍ୟ କିମ୍ବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିମ୍ବା ପ୍ରମିଲ୍ଲା ମଲ୍ଲିକଙ୍କୁ ବିରୋଧୀ ଦଳ ଉପନେତା ଭାବେ ଦାୟିତ୍ୱ ଦିଆଯାଇପାରେ । ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଅରୁଣ ସାହୁ କିମ୍ବା ପ୍ରତାପ ଦେବଙ୍କୁ ମିଳିପାରେ ଦାୟିତ୍ୱ । କିନ୍ତୁ ବୁଧବାର ସ୍ପଷ୍ଟ ହୋଇଯିବ, ବିଧାନସଭାରେ ଦଳର ମୋର୍ଚ୍ଚା କିଏ ସମ୍ଭାଳିବେ ।

ବହୁ ଦିନ ବ୍ୟବଧାନ ପରେ ବିଧାନସଭାରେ ଏକ ସଂଗଠିତ ଓ ମଜଭୁତ ବିରୋଧୀ ଦଳ ଦେଖିବାକୁ ମିଳିବ । କାରଣ ବିଜେଡି ପାଖରେ ୫୧ ଓ କଂଗ୍ରେସ ପାଖରେ ୧୪ ବିଧାୟକ ଅଛନ୍ତି । ତେଣୁ ଶାସକ ଦଳ ପାଇଁ ଅଡ଼ୁଆ କଲା ଭଳି ପରିସ୍ଥିତି ଗୃହ ଭିତରେ ସୃଷ୍ଟି କରିପାରିବେ ବିରୋଧୀ ।