୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ ଝଟକା, ଏଭଳି ନିଷ୍ପତ୍ତି ଶୁଣାଇଲେ ଝିଅ ଇଭାଙ୍କା

271

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଘୋଷଣା କରିସାରିଛନ୍ତି । ଏନେଇ ସେ ଖୁବଶୀଘ୍ର ପ୍ରଚାର ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ସ୍ପଷ୍ଟ କରିଦେଇଛନ୍ତି କି ସେ ୨୦୨୪ ନିର୍ବାଚନରେ ବାପାଙ୍କ ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହେବେ ନାହିଁ । ଏନେଇ ସେ କୌଣସି ଯୋଜନା କରି ନାହାଁନ୍ତି ବୋଲି କହିଛନ୍ତି ।

ଇଭାଙ୍କା କହିଛନ୍ତି କି, ସେ ନିଜର ସମସ୍ତ ସମୟ ନିଜ ପରିବାର ପାଇଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ ବାକି ସମୟ ସ୍ୱାମୀ ଜେରେଡ ଓ ୩ ପିଲାଙ୍କ ସହ ବିତାଇବାକୁ ଇଚ୍ଛା କରିଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି କି, ‘ମୁଁ ମୋ ବାପାଙ୍କୁ ବହୁତ ଭଲପାଏ, ହେଲେ ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଛି ’

କହିରଖୁ କି ଇଭାଙ୍କ ଓ ତାଙ୍କ ସ୍ୱାମୀ ଜେରେଡ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ୪ ବର୍ଷ ଧରି ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ମଙ୍ଗଳବାର ଦିନ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ଭାବେ ଘୋଷଣା କରାଗଲା ସେତେବେଳେ ଜେରେଡ ସେଠାରେ ଉପସ୍ଥିତ ଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ଝିଅ ଇଭାଙ୍କା ଟ୍ରମ୍ପ୍ । କେବଳ ଇଭାଙ୍କା ନୁହଁନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ (ଜୁନିୟର) ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।