ଉଦୟପୁର ଚିନ୍ତନ ଶିବିରରେ ସୋନିଆ ଗାନ୍ଧୀଙ୍କ ଘୋଷଣା, କାଶ୍ମୀରରୁ କନ୍ୟା କୁମାରୀ କଂଗ୍ରେସ କରିବା ‘ଭାରତ ଜୋଡ୍’ ଯାତ୍ରା

157

କନକ ବ୍ୟୁରୋ : କେମିତି ବଢିବ କଂଗ୍ରେସ, କିଭଳି ଭାବେ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରାଯାଇପାରିବ । ଦଳର କମାଣ୍ଡ କାହା ହାତରେ ଦେଲେ ଦଳକୁ ସଠିକ ନେତୃତ୍ୱ ମିଳିବ । ଏଭଳି କିଛି ପ୍ରସଙ୍ଗକୁ ନେଇ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ଚିନ୍ତନ ଶିବିର । ଏହି ଶିବିରରେ ଦଳର ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଯୋଗ ଦେଇଥିଲେ ।

ଏହି ଶିବିରରେ ନେତାମାନଙ୍କୁ ଉଦବୋଧନ ଦେବା ଅବସରରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି କି, ଦଳ ତରଫରୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ‘ଭାରତ ଜୋଡ୍’ ଯାତ୍ରାର ଶୁଭାରମ୍ଭ କରାଯିବ   । ସେ କହିଛନ୍ତି ଯେ ଅକ୍ଟୋବର ୨ ତାରିଖରୁ ଏହି ଯାତ୍ରା ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ଗଣ ସଂଗଠନର ନେତାମାନେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

 

କହିରଖୁ କି ଏହି ଚିନ୍ତନ ଶିବିରରେ ସୋନିଆଙ୍କ ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ସମ୍ବୋଧନ କରିଥିଲେ । ସେ ତାଙ୍କ ସମ୍ବୋଧନ ବେଳେ ବିଜେପି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଥିଲେ କି କଂଗ୍ରେସର ଦାୟିତ୍ୱ ହେଉଛି ବିଚାରଧାରାକୁ ବଞ୍ଚାଇ ରଖିବା । ଏଥିପାଇଁ ଦଳର ସମସ୍ତ ନେତାଙ୍କୁ ଲୋକମାନଙ୍କ ପାଖରେ ପହଂଚିବାର ଆବଶ୍ୟକତା ରହିଛି । ସେ ଜୋର ଦେଇ କହିଥିଲେ କି ଦେଶରେ ପ୍ରତିଟି ଲୋକ ଜାଣିଛନ୍ତି କି କେବଳ କଂଗ୍ରେସ ହିଁ ଦେଶକୁ ବଞ୍ଚାଇ ପାରିବ ।