ଭଦ୍ରକରେ ଭୂତ କିଣିଛି ଧାନ: ମଣ୍ଡିରେ ମହାଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

160

କନକ ବ୍ୟୁରୋ: ଭଦ୍ରକରେ ଭୂତ କିଣୁଛି ଧାନ । କାଗଜ କଲମରେ ବିକ୍ରି ହୋଇଛି ହଜାର ହଜାର କ୍ୱିଂଟାଲ ଖରିଫ ଧାନ । ଭଦ୍ରକ ଜିଲ୍ଲାରେ ଧାନ ମଣ୍ଡିକୁ ନେଇ ଏଭଳି ଅଭିଯୋଗ ହୋଇଛି । ଆଉ ୫ଟି ସ୍ୱଂୟ ସହାୟକ ଗୋଷ୍ଠୀ ଓ ୧୦ଟି ସେବା ସମବାୟ ସମିତି ଏଭଳି ଦୁର୍ନୀତି କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ରାଜ୍ୟ ଯୋଗାଣ ନିଗମର ସ୍ୱତନ୍ତ୍ର ଯାଂଚ କମିଟି ଭଦ୍ରକରେ କ୍ଷେତ ଅନୁଧ୍ୟାନ କରିବା ପରେ ଏଭଳି ଦୁର୍ନୀତି ପଦାକୁ ଆସିଛି । ଯାଂଚ କମିଟିର ରିପୋର୍ଟ ଉପରେ ଏବେ ଖୋଳତାଡ ଆରମ୍ଭ ହୋଇଛି । ଚାଷୀଙ୍କ ମୋବାଇଲ୍କୁ ଆସୁଥିବା ଟୋକନ୍ ଆଧାରରେ ମଣ୍ଡିରେ ଧାନ କିଣିବାର ବ୍ୟବସ୍ଥା ରହିଛି ।

ହେଲେ ଏ ବର୍ଷ ଚାଷୀଙ୍କ ଟୋକନରେ ଧାନ କିଣା ଯାଇନଥିବା ବେଳେ କେବଳ କାଗଜ କଲମରେ ଧାନ କିଣାରେ ମିଲର ଓ ଦଲାଲଙ୍କୁ ଫାଇଦା ଦିଆଯାଇଥିବା ଜଣାପଡିଛି । ଜିଲ୍ଲାରେ ୯୬ଟି ସମବାୟ ସମିତି ଓ ୫୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କିଣାରେ ନିୟୋଜିତ କରାଯାଇଥିଲା । ମଣ୍ଡିରେ ୩୮ ହଜାର କ୍ୱିଂଟାଲ ଧାନ କିଣାରେ ଦୁର୍ନୀତି କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତ, ଏପ୍ରିଲ ୨୫ ତାରିଖରେ ବିଭାଗୀୟ ଅତିରିକ୍ତ ସଚିବ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳ ଓ ସମବାୟ ସମିତି ରାଜ୍ୟ ନିବନ୍ଧକଙ୍କୁ ଚିଠି ଲେଖିଥିଲେ । ସେହି ଚିଠି ଆଧାରରେ ଜିଲ୍ଲାପାଳ ୧୦ଟି ସମବାୟ ସମିତିର ସଂପାଦକ ଓ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।