ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ବଡ ସଫଳତା ।

120

କନକ ବ୍ୟୁରୋ: କମିଶନରେଟ୍ ପୁଲିସର ବଡ ସଫଳତା । ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ରାତିର ନିଦ ହଜାଇ ଦେଇଥିବା ୭ଜଣ ଅପରାଧୀଙ୍କୁ ଗିରଫ କରିବା ସହ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ୭ ଅପରାଧୀଙ୍କ ଭିତରେ ଜଣେ ମହିଳା ଲୁଟେରା ଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ସବୁଠାରୁ ବଡକଥା ଏହି ମହିଳା ଲୁଟେରାଙ୍କୁ ଢାଲ କରି ଲୁଟର ଷଡଯନ୍ତ୍ର କରୁଥିଲା ଗ୍ୟାଙ୍ଗ । ଏହି ମହିଳା ଲୁଟେରା ଜଣଙ୍କ ହେଲେ ୪୦ ବର୍ଷୀୟ ଜୋତ୍ସ୍ନାରାଣୀ ମହାପାତ୍ର । ଲୁଟ୍ ହୋଇଥିବା ସମସ୍ତ ସୁନାକୁ ଠିକଣା ଲଗାଇବା ଥିଲା ମହିଳା ଲୁଟେରା ଜୋତ୍ସ୍ନାଙ୍କ କାମ । ସୁନା ଚେନ୍ ଲୁଟ୍ କରିବା ପରେ ଏହାକୁ କିଭଳି ବିକ୍ରି କରାଯିବ ଏହାର ଯୋଜନା କରୁଥିଲେ ଜୋତ୍ସ୍ନା । ପୂର୍ବରୁ ଜୋତ୍ସ୍ନାଙ୍କ ପୁଅ ରାଜେଶ ମହାପାତ୍ରକୁ ସୁନା ଚେନ୍ ଲୁଟ୍ ଘଟଣାରେ ଗିରଫ କରିଛି କମିଶନରେଟ ପୁଲିସ । ଏବେ ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗରେ ରାଜେଶର ମାଆ ଜୋତ୍ସ୍ନାକୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ୧୪ଟି ସୁନା ଚେନ୍, ୧୬ଟି ସୁନା ମୁଦି, ୨୩ଶହ ଗ୍ରାମ ରୂପା ଗହଣା, ଓ ୨ଟି ବାଇକ୍ ଜବତ କରିଛି ପୋଲିସ । ଏହିସବୁ ଲୁଟେରା ରାଜଧାନୀରେ ୨୨ଟି ଘଟଣାରେ ଜଡିତ ଥିଲେ । ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗକୁ ଧରିବା ପାଇଁ କମିଶନରେଟ୍ ପୁଲିସର ରାତିର ନିଦ ହଜି ଯାଇଥିଲା ।