ଆଇପିଏଲକୁ ପୁଣି ଘାରିଲା କରୋନା ଭୟ । ଖେଳାଳି, କୋଚିଂ ଷ୍ଟାଫ୍ ଓ ଫ୍ରାଞ୍ଚାଇଜଙ୍କ ଉପରେ କଡା ନଜର । କରୋନା ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ।

137

କନକ ବ୍ୟୁରୋ: ଆଇପିଏଲକୁ ପୁଣି କରୋନା ଭୟ । ଦେଶରେ କୋଭିଡ୍ ସଂକ୍ରମଣ ବଢିବା ପରେ ଆଇପିଏଲକୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ । ଦେଶରେ ଦିନକୁ ଦିନ କୋଭିଡ୍ ସଂକ୍ରମଣର ହାର ବଢୁଥିବାରୁ, ଖେଳାଳି ଓ ଫ୍ରାଞ୍ଚାଇଜକୁ ସତର୍କ କରାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ।

ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୫୦୯ କୋଭିଡ୍ ନୂଆ କେସ୍ ସାମ୍ନାକୁ ଆସିଛି । ବିଶେଷକରି ପଜିଟିଭିଟ୍ ରେଟ୍ ବଢୁଥିବାରୁ, ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଗୋଟିଏ ଦିନ ଭିତରେ ଦିଲ୍ଲୀରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ବଢିଛି । ଏଥିପାଇଁ ଫ୍ରାଞ୍ଚାଇଜ୍ ମାନଙ୍କୁ ସତର୍କ କରାଇଛି ବିସିସିଆଇ । ଖେଳାଳିଙ୍କ ସହିତ କୋଚିଂ ଷ୍ଟାଫ୍ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖେଳାଳିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିଛି ବିସିସିଆଇ । ସରକାରଙ୍କ ତରଫରୁ ନିର୍ଦ୍ଦେଶ ଯିବା ପରେ, ଆଇପିଏଲରେ ମଧ୍ୟ ଏହାର ପାଳନ କରାଯାଉଛି । ତେବେ ସବୁ ଖେଳାଳିଙ୍କୁ ଟ୍ରାକ୍ କରାଯାଉଥିବା ମଧ୍ୟ ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଲୋକପ୍ରିୟ ହିନ୍ଦୀ କମେଣ୍ଟେଟର ଆକାଶ ଚୋପ୍ରା କୋଭିଡ୍ ପଜିଟିଭ୍ ହେଇସାରିଛନ୍ତି । କିଛି ଦିନ ତଳେ ସେ ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ । ତାଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ହେଲେ ଏହାସତ୍ତେ୍ୱ ମଧ୍ୟ ସେ ଆଇପିଏଲଠୁ ଦୂରେଇ ଯିବା ସହିତ ନିଜକୁ ଅନ୍ୟଙ୍କଠାରୁ ଅଲଗା ରଖିଛନ୍ତି । ତେବେ ଦେଶରେ ବଢୁଥିବା କରୋନା ସଂକ୍ରମଣ ଏବେ ଆଇପିଏଲ ଉପରେ ପୁଣିଥରେ କଳାବାଦଲ ଢାଙ୍କିବାକୁ ବସିଛି ।