ଟ୍ୟୁସନରୁ ଫେରିଲାନି ପୁଅ । ଦୁର୍ଘଟଣା ସାରିଦେଲା ଆୟୁସ, ସାଙ୍ଗ ହୋଇ ଚାଲିଗଲେ ୩ ଛାତ୍ର

1,044

କନକ ବ୍ୟୁରୋ : ବାଙ୍କୀ କଟକ ରାସ୍ତାର ରଣଶଂଖ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ହରିରାଜପୁର ଗାଁର ୩ଜଣ ଦଶମ ଶ୍ରେଣୀ ଛାତ୍ର ବାଇକ ଯୋଗେ ଚକୁଳେଶ୍ୱରକୁ ଟ୍ୟୁସନ୍ ଯାଇଥିଲେ । ଶୁକ୍ରବାରର ପାଠପଢା ସାରି ରାତିରେ ଘରକୁ ଫେରିବେ ବୋଲି ଫୋନ ଯୋଗେ କହିଥିଲେ, ହେଲେ ରାତିରେ ବିପଦର ଆଶଙ୍କା କରି ରାତିଟା ରହି ସକାଳେ ଆସିବାକୁ ମାଆ କହିଥିଲେ । ମାଆଙ୍କ କଥା ମାନି ପିଲାମାନେ ରାତିରେ ରହି ସକାଳୁ ଟ୍ୟୁସନ୍ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ବାଙ୍କୀରୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ସହ ଛାତ୍ରଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ପ୍ରାଣ ହରାଇଛନ୍ତି । ମୃତ ଛାତ୍ର ୩ ଜଣ ହେଉଛନ୍ତି ହରିରାଜପୁର ଗାଁର ଶୋହନ ନାୟକ, ଗୁଡୁ ପିରୋହୀ, ଅବିନାଶ ଧଳ ।

ଦୁର୍ଘଟଣା ପରେ ପିକଅପ୍ ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ବାଙ୍କୀ ପୋଲିସ ଗାଡ଼ିଟିକୁ ଜବତ କରି, କେଉଁ ପରିସ୍ଥିତିରେ ଦୁର୍ଘଟଣାଟି ଘଟିଲା ତାର ତଦନ୍ତ ଚଳାଇଛି ।