ତୁରନ୍ତ ବଦଳାଇ ନିଅନ୍ତୁ ୨ ହଜାର ଟଙ୍କିଆ ନୋଟ । ଜୁନ ମାସରେ ବ୍ୟାଙ୍କରେ ବଢିବ ଗ୍ରାହକଙ୍କ ଭିଡ । ଜୁନ ମାସରେ ଏତେଦିନ ବନ୍ଦ ରହିବ ବ୍ୟାଙ୍କ

245

କନକ ବ୍ୟୁରୋ : ଆରମ୍ଭ ହୋଇଛି ଜୁନ୍ ମାସ । ଆଉ ଜୁନ୍ ମାସରେ ଆପଣ ଯଦି ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ । ବଜାରରୁ ବିଦାୟ ନେଉଛି ୨୦୦୦ଟଙ୍କିଆ ନୋଟ୍ । ଟଙ୍କା କେମିତି ବଦଳାଇବେ, କେତେ ଟଙ୍କା ବଦଳାଇବେ ଏନେଇ ଗ୍ରାହକଙ୍କ ମନରେ ଉଦବେଗ ଭରି ରହିଛି । ପ୍ରତିଦିନ ବ୍ୟାଙ୍କରେ ଲାଗୁଛି ଲୋକଙ୍କ ଗହଳି । ତେବେ ଜୁନ ମାସରେ ୧୨ଦିନ ପାଇଁ ବନ୍ଦ ହେବାକୁ ଯାଉଛି ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କ ପାଇଁ ଛୁଟି ତାଲିକା ଜାରି କରାଯାଇଛି । ଜାରି ହୋଇଥିବା ଛୁଟି ତାଲିକାରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରର ସାପ୍ତାହିକ ଛୁଟିକୁ ଅନ୍ତର୍ଭୁକ୍ତ କରାଯାଇଛି । ତେଣୁ ଜରୁରୀ କାମ ଗୁଡ଼ିକୁ ଶୀଘ୍ର କରାଇ ନିଅନ୍ତୁ ନହେଲେ ଆପଣ ବ୍ୟାଙ୍କରେ ପହଞ୍ଚି ତାଲା ଝୁଲୁଥିବା ଦେଖିବାକୁ ପାଇବେ ।

୧୯ ମେ ୨୦୨୩ରେ, ରିଜର୍ଭ ବ୍ୟାଙ୍କ ତରଫରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଉପରେ ରୋକ ଲଗାଯାଇଛି । ମେ ୨୩ ରୁ ଆରମ୍ଭ କରି ସେପ୍ଟେମ୍ବର ୩୦ ମଧ୍ୟରେ ଆପଣ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟର ବଦଳି କରିପାରିବେ । ତେବେ ଯଦି ଆପଣ ବ୍ୟାଙ୍କ ଯାଉଛନ୍ତି ନୋଟ ବଦଳି ନିମନ୍ତେ ତେବେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଏହି ଛୁଟି ତାଲିକା ଗୁଡ଼ିକ ଉପରେ ଥରେ ନଜର ପକାନ୍ତୁ । ଯଦି ଆପଣ ୱେବସାଇଟ୍ ରେ ଆରବିଆଇ ଦ୍ୱାରା ଅପଡେଟ୍ ହୋଇଥିବା ଜୁନ୍ ୨୦୨୩ ବ୍ୟାଙ୍କ ଛୁଟି ତାଲିକାକୁ ଦେଖନ୍ତି , ସାପ୍ତାହିକ ଛୁଟି ବ୍ୟତୀତ ବିଭିନ୍ନ ଇଭେଣ୍ଟ ପାଇଁ ବ୍ୟାଙ୍କରେ ଛଅ ଦିନ ପାଇଁ ଛୁଟି ରହିଛି । ଏହି ଛୁଟିଗୁଡିକୁ ବିଭିନ୍ନ ରାଜ୍ୟର ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଆମ ଓଡ଼ିଶାର ରଥଯାତ୍ରା ଅନ୍ତର୍ଭୁକ୍ତ ।

ଜୁନ ୪ ତାରିଖ – ରବିବାର
ଜୁନ ୧୦ ତାରିଖ -ଦ୍ୱିତୀୟ ଶନିବାର
ଜୁନ ୧୧ ତାରିଖ –ରବିବାର
ଜୁନ ୧୫ ତାରିଖ- ରଜ ସଂକ୍ରାନ୍ତି
ଜୁନ ୧୮ ତାରିଖ – ରବିବାର
ଜୁନ ୨୦ ତାରିଖ- ପବିତ୍ର ରଥଯାତ୍ରା
ଜୁନ ୨୪ ତାରିଖ –ମାସର ଚତୁର୍ଥ ଶନିବାର
ଜୁନ ୨୫ ତାରିଖ – ରବିବାର
ଜୁନ ୨୬ ତାରିଖ – ଖର୍ଚ୍ଚି ପୂଜା (କେବଳ ଅଗରତାଲାରେ ବ୍ୟାଙ୍କ ବନ୍ଦ)
ଜୁନ ୨୮ ତାରିଖ – ବକରୀ ଇଦ୍ (ବେଲାପୁର, ଜମ୍ମୁ, କୋଚି, ମୁମ୍ବାଇ, ଶ୍ରୀନଗର,ନାଗପୁରରେ ବ୍ୟାଙ୍କ ବନ୍ଦ)
ଜୁନ ୨୯ ତାରିଖ – ବକରୀ ଇଦ୍
ଜୁନ ୩୦ ତାରିଖ – ରୀମା ଇଦ୍ ଉଲ୍ ଅଜହା (ଆଇଜୋଲ/ଭୁବନେଶ୍ୱର)

ତେବେ ଡିଜିଟାଲ୍ ଯୁଗରେ ଆପଣ ଚାହିଁଲେ ଅଧିକାଂଶ ବ୍ୟାଙ୍କ ସମ୍ବନ୍ଧୀୟ କାମ ଗୁଡ଼ିକୁ ଘରେ ଥାଇ କରିପାରିବେ । ମାତ୍ର କିଛି କାମ ପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖା ଗୁଡିକୁ ଯିବାକୁ ପଡିଥାଏ । ତେବେ ଛୁଟି ସମ୍ବନ୍ଧୀୟ ବିବରଣୀ ଜାଣିବାକୁ ହେଲେ ଆପଣ ଆରବିଆଇ ବ୍ୟାଙ୍କ ୱେବସାଇଟରେ ଯାଇ ଦେଖିପାରିବେ ।