ଏହି ଦେଶ ସଂସଦରେ ପାରିତ ହେଲା ବିଲ୍ । ବୁର୍ଖା ପିନ୍ଧିଲେ ଦେବାକୁ ପଡିବ ୯୧ ହଜାର ଟଙ୍କା ଜରିମାନା

919

କନକ ବ୍ୟୁରୋ : ବୁର୍ଖାକୁ ନେଇ ଭାରତରେ ବିବାଦ ଲାଗି ରହିଥିବା ବେଳେ ବିଶ୍ୱର ଏକ ପ୍ରଗତିଶୀଳ ଦେଶ ଏବେ ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଇଛି । ସ୍ୱିଜରଲ୍ୟାଣ୍ଡ ସଂସଦରେ ଏଭଳି ଏକ ବିଲ୍ ପାରିତ ହୋଇଛି । ଏହି ବିଲ୍ ମୁତାବକ ସ୍ୱିଜରଲ୍ୟାଣ୍ଡରେ କୌଣସି ମହିଳା ଯଦି ବୁର୍ଖା ପିନ୍ଧନ୍ତି ବା ଚେହେରା ଢାଙ୍କି ରାସ୍ତାକୁ ବାହାରନ୍ତି ତେବେ ସଂପୃକ୍ତ ମହିଳାଙ୍କୁ ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସ୍ୱିଜରଲ୍ୟାଣ୍ଡ ସଂସଦରେ ସଂପୃକ୍ତ ବିଲକୁ ନେଇ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ୧୫୧ଟି ଭୋଟ ପଡିଥିବା ବେଳେ ବିଲ୍ ବିରୋଧରେ ମାତ୍ର ୨୯ ଟି ଭୋଟ ପଡିଥିଲା । ଏହାପରେ ସଂସଦରେ ଏହି ବିଲ୍ ପାରିତ ହୋଇଛି ।

ସ୍ୱିଜରଲ୍ୟାଣ୍ଡ ସଂସଦରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ଆଇନକୁ ମଞ୍ଜୁରୀ ମିଳିଛି । ଏହି କ୍ରମରେ ଏବେ ଯଦି ସେଠାରେ କୌଣସି ମହିଳା ବୁର୍ଖା ପିନ୍ଧିଥିବା ବା କୌଣସି କପଡାରେ ଚେହେରା ଲୁଚାଇଥିବାର ଦେଖିବାକୁ ମିଳେ ତେବେ ଆଇନ ମୁତାବକ ତାଙ୍କୁ ୧ହଜାର ସ୍ୱିସ୍ ଫ୍ରେଙ୍କ ବା ପାଖାପାଖି ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ପୂର୍ବରୁ ଏହି ଆଇନକୁ ଉଚ୍ଚ ସଂସଦରେ ଅନୁମୋଦନ ମିଳିଥିବା ବେଳେ ଏବେ ଏହାକୁ ସଂଘୀୟ ସଂସଦରେ ଅନୁମୋଦନ ମିଳିଛି । ସାର୍ବଜନୀକ ସ୍ଥାନ ଏବଂ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏହି ଆଇନକୁ ପାଳନ କରିବା ଜରୁରୀ ବୋଲି କୁହାଯାଇଛି । ଏହି ନିୟମ ଲାଗୁ ହେବା ପରେ କେବଳ ପୂଜାସ୍ଥଳୀ ବ୍ୟତୀତ ସର୍ବସାଧାରଣ ସ୍ଥାନ ଓ ବେସରକାରୀ କାର୍ଯ୍ୟାଳୟରେ ମହିଳାମାନେ ନାକ, ପାଟି ଓ ଆଖିକୁ ବୁର୍ଖାରେ ଘୋଡାଇପାରିବେ ନାହିଁ ।

ସୂଚନା ଥାଉକି ବୁଧବାର ସ୍ୱିଜରଲ୍ୟାଣ୍ଡ ସଂସଦର ନିମ୍ନ ସଦନରେ ଏକ ମତଦାନ ହୋଇଥିଲା । ଯେଉଁଥିରେ ମୁସଲମାନ ମହିଳାମାନେ ବୁର୍ଖା ପିନ୍ଧିବା ଏବଂ ମୁହଁ ଢାଙ୍କିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା । ଦକ୍ଷିଣପନ୍ଥୀ ଲୋକପ୍ରିୟ ସ୍ୱିସ୍ ପିପୁଲ୍ସ ପାର୍ଟି ଏହି ଆଇନ ଆଣିଥିଲା । ଯାହାକୁ ନେଇ ସେଣ୍ଟ୍ରିଷ୍ଟ ଗ୍ରୀନ ମାନେ ଆପତ୍ତି ଉଠାଇଥିଲେ । କିନ୍ତୁ ୧୫୧ ଖଣ୍ଡ ଭୋଟ ସମର୍ଥନରେ ଏହା ପାରିତ ହୋଇଛି ।