ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ନେଇ ତେଜୁଛି ରାଜନୀତି, ଦ୍ୱିତୀୟ ଥର ପାଇଁ ଓଡିଶା ଆସି ମମତା ମାଗିଲେ ହିସାବ

396

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ପ୍ରକୃତରେ କେତେ ଜଣଙ୍କର ମୃତ୍ୟୁ ହୋଇଛି? ମୃତ୍ୟୁ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଥିବାବେଳେ, ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶା ଗସ୍ତରେ ଆସି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ପରେ ପ୍ରଶ୍ନ ଉଠାଇଛନ୍ତି ମମତା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପଶ୍ଚିମବଙ୍ଗର ୩୧ ଜଣ ଏବେ ବି ନିଖୋଜ ଅଛନ୍ତିି । ୧୦୩ ମୃତଦେହ ଚିହ୍ନଟ ହୋଇଛି । ୯୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକ ଜୀବନ ଯାଇଛି, ଘଟଣାକୁ ନେଇ ରାଜନୀତି କରାନଯାଉ । କିନ୍ତୁ ସତ ସାମନାକୁ ଆସୁ ।

ମମତାଙ୍କ ଅଭିଯୋଗକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ତେବେ ମୁଖ୍ୟ ଶାସନ ସଚିବ କହିଛନ୍ତି, ସମସ୍ତଙ୍କ ଆଗରେ ଉଦ୍ଧାର କାର୍ଯ୍ୟ ହୋଇଛି । ତେଣୁ କିଛି ଲୁଚାଇବାର ନାହିଁ ।

ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମୃତ୍ୟୁ ସଂଖ୍ୟାକୁ ନେଇ ନୂଆ ତଥ୍ୟ ଦେଇଛନ୍ତି ସରକାର । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ବାଲେଶ୍ୱର ଜିଲ୍ଳାପାଳଙ୍କ ଚୂଡାନ୍ତ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରୁ ଓଡିଶାରୁ ଅଛନ୍ତି ୩୯ଜଣ । ବାଲେଶ୍ୱରୁ ୧୪, ଭଦ୍ରକରୁ ୮ଜଣ, ଯାଜପୁରରୁ ୨ଜଣ, ମୟୁରଭଂଜରୁ ୯ଜଣ, ଖୋର୍ଦ୍ଧାରୁ ୨ଜଣ, କଟକରୁ ୩ଜଣ, କେନ୍ଦୁଝରରୁ ଜଣେ ରହିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ୧ କୋଟି ୯୫ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଅନ୍ୟପଟେ ମମତାଙ୍କ ସହ ଆସିଥିବା ପଶ୍ଚିମବଂଗ ମନ୍ତ୍ରୀ ଓ ଅନ୍ୟମାନେ ଏମ୍ସ ହସ୍ପିଟାଲ ଯାଇ, ପଶ୍ଚିମବଂଗର ଲୋକଙ୍କୁ ଭେଟିଛନ୍ତି ।