ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ବାଲେଶ୍ୱର ଅଶାନ୍ତ: କର୍ଫ୍ୟୁ ବଳବତ୍ତର, ପଇଁତରା ମାରୁଛି ପୁଲିସ

345

କନକ ବ୍ୟୁରୋ: ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସହରରେ ଅନିର୍ଦ୍ଦିଷ୍ଟକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ୪୮ ଘଂଟା ପାଇଁ ଇଂଟରନେଟ୍ ସେବାକୁ ବନ୍ଦ କରିଛି ପ୍ରଶାସନ । ସହର ସାରା ପୁଲିସ ପଇଁତରା ମାରୁଛି । ପୁଲିସ ଆଜି ଆଜି ସନ୍ଧ୍ୟାରେ ସହରର ଫ୍ଲାଗମାର୍ଚ କରିଛି । ଗତକାଲି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଢେଲାପଥର ମାଡ ସହ ବ୍ୟାପକ ହିଂସା ହୋଇଥିଲା । ଆଜି କିନ୍ତୁ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଛି ।

ଶୁନଶାନ ବାଲେଶ୍ୱର । ପୁଲିସ ଛାଉଣୀ ପାଲଟିଛି ପୁରା ସହର । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରେ ସହରରେ ଅନିର୍ଦ୍ଦିଷ୍ଟକାଳୀନ ପାଇଁ କର୍ଫ୍ୟୁ ଜାରି ହୋଇଛି । ଏହାପରେ ସହରରେ ପ୍ଲାଗମାର୍ଚ କରିଛି ପୁଲିସ । ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଅଶାନ୍ତ ହୋଇପଡିବାରୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଗୁ ହୋଇଛି କର୍ଫ୍ୟୁ । ଇଂଟରନେଟ ସେବାକୁ ୪୮ ଘଂଟା ପାଇଁ ବନ୍ଦ ରଖାଯାଇଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ ବି ପୁଲିସ ଅପିଲ କରଛିି । ସ୍ଥିତି ଉପରେ କଡା ନଜର ରଖିଛି ପୁଲିସ । ସହରର ଗଳିକନ୍ଦିରେ ପୁଲିସ ପଇଁତରା ମାରୁଛି । କର୍ଫ୍ୟୁକୁ ଦୃଷ୍ଟିରେ ରଖି ଦୋକାନବଜାର. ସ୍କୁଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ କର୍ଫ୍ୟୁ ପରେ ବାଲେଶ୍ୱର ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସିଛି । କର୍ଫ୍ୟୁକୁ ମାନିବା ସହ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛି ପ୍ରଶାସନ ।

ସୋମବାରଦିନ କୌଣସି କାରଣକୁ ନେଇ ବାଲେଶ୍ୱରର ଭୁଜାଖିଆ ପୀର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପସ୍ଥିତିରେ ଗୋଷ୍ଠୀସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀ ଢେଲାପଥର ମାଡ କରିଥିଲେ । ଏଥିରେ ଅନେକ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଗଣ୍ଡଗୋଳରେ ଅନେକ ଗାଡି ଭଙ୍ଗାରୁଜା ହୋଇଛି । ଏହାପରେ ୧୪୪ ଧାରା ଜାରି ହୋଇଥିଲା । ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣା କରିଥିଲା । ଦୋକାନରେ ନିଆଁଲଗାଯିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ବିଶୃଙ୍ଖଳାକାରୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କର୍ପ୍ୟୁ ଜାରି ହୋଇଥିଲା । ପ୍ରଥମେ ୨୪ ଘଂଟା ପରେ ଅନିର୍ଦ୍ଦିଷ୍ଟକାଳ ପାଇଁ କର୍ଫ୍ୟୁ ଜାରି ରହିଛି । ବାଲେଶ୍ୱର ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଘଟଣା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏବେ ସହରରେ ସ୍ଥିତି ସ୍ୱାଭାବିକ ହେଉଛି । ବାଲେଶ୍ୱରରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ସ୍ଥିତି ଉପରେ ନଜର ରଖିଛି ପୁଲିସ ପ୍ରଶାସନ । କାଲି ବି ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।