ବାଲେଶ୍ୱର ଶୋଭାରାମପୁରରେ ଭୁଶୁଡ଼ିଛି ରେଳ ଓଭର ବ୍ରିଜ  : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଯୁଦ୍ଧକାଳୀନ ଭିତିରେ ଉଠାଯାଉଛି ବିମ

319

କନକ ବ୍ୟୁରୋ : ବାଲେଶ୍ୱର ଶୋଭାରାମପୁରରେ ନିର୍ମାଣଧୀନ ରେଳ ଓଭର ବ୍ରିଜରେ ଭୁଶୁଡ଼ିଛି ବିମ୍  । ଦୁଇ ପିଲାରକୁ ସଂଯୋଗ କରୁଥିବା ବିମ୍ ଭୁଶୁଡି ପଡିଛି । ବିମଟି ରେଳ ଧାରଣା ଉପରେ ଖସି ପଡିଛି । ରେଳ ଧାରଣା ଉପରେ ଖସି ପଡିଥିବାରୁ ଏହି ରୁଟ୍ ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହା ସହିତ ବିମଟି ବିଦ୍ୟୁତ୍ ତାର ଉପରେ ପଡିବା ଯୋଗୁଁ ବିଦ୍ୟୁତ ତାର ମଧ୍ୟ ଛିଡି ଯାଇଛି । ଜରୁରୀକାଳିନ ଭିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ରେଳ ଧାରଣାରୁ ବିମ ହଟାଇବା ପରେ ବିଦ୍ୟୁତ ତାରକୁ ସଜଡାଯିବ । ଆଉ ଏଥିପାଇଁ ୪ରୁ ୫ ଘଂଟା ସମୟ ଲାଗିବ ବୋଲି କୁହାଯାଉଛି । ଦିନ ୧୨ଟା ପରେ ଶୋଭାରାମପୁର ଷ୍ଟେସନ ଦେଇ ଯିବାକୁ ଥିବା ୫ଟି ରେଳ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ।

ଯୁଦ୍ଧକାଳିନ ଭିତରେ ଶତାଧିକ କର୍ମଚାରୀ ଉଦ୍ଧାର କାମରେ ଲାଗିଛନ୍ତି । କ୍ରେନ ସହାୟତାରେ ବିମ ଗୁଡିକୁ ହଟାଯାଉଛି । ବିମ ହଟିବା ପରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଛି ନା ନାହିଁ ତାର ତଦାରଖ କରାଯିବ ଓ ଟ୍ରେନ ଯିବା ପାଇଁ ଧାରଣାର କ୍ଷମତା ଅଛି ନା ନାହିଁ ଯାଂଚ କରିବା ପରେ ଟ୍ରେନ ଚଳାଚଳ କରିବ । ବଡ କଥା ହେଉଛି ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆଜି ଶୋଭାରାମପୁରରେ ଧାରଣା କାମ ହେବାକୁ ଥିବାରୁ ମଧ୍ୟାହ୍ନ ୧୨ଟା ଯାଏଁ ରେଳ ଚଳାଚଳ ଉପରେ କଟକଣା ଲାଗିଥିଲା । ତେଣୁ କୌଣସି ଧନଜୀବନ କ୍ଷତି ହୋଇନାହିଁ । ଅନ୍ୟପଟେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଲୋକେ ଷ୍ଟେସନରେ ଅପେକ୍ଷା କରିଛନ୍ତି ।