ଓଲା ଓ ବଜାଜକୁ ଟକ୍କର ଦେବାକୁ ବଜାରକୁ ଆସିଲା ବାଜ୍ ର ଇଲେକ୍ଟ୍ରିକ ସ୍କୁଟର, ଶସ୍ତା ଦାମ ସାଂଗକୁ ଅଧିକ ମାଇଲେଜ୍

1,772

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ବିଦ୍ୟୁତ ଚାଳିତ ଯାନର ବ୍ୟବହାର ବଢିବାରେ ଲାଗିଛି । କିଛି ଛୋଟ ଛୋଟ ଅସୁବିଧାକୁ ବାଦଦେଲେ ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକମାନଙ୍କର ଆଗ୍ରହ ବି ବଢିବାରେ ଲାଗିଛି । ଏସବୁକୁ ନଜରରେ ରଖି ବିଦ୍ୟୁତ୍ ଚାଳିତ ଗାଡି ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ବଢୁଛି । ଭାରତୀୟ ବଜାରରେ ବିଶେଷ ଭାବେ ଓଲା ଓ ବଜାଜର ଇଲେକ୍ଟ୍ରିକ ସ୍କୁଟର ଚାଲୁଥିବା ବେଳେ ଏବେ ଏହାକୁ ଟକ୍କର ଦେବାକୁ ବାଜ୍ ନାମକ ଏକ କମ୍ପାନୀ ନିଜର ସ୍କୁଟର ଲଂଚ୍ କରିଛି । ସାଧାରଣ ଭାବେ ବଜାର ଓ ଓଲାର ଇଲେକ୍ଟ୍ରିକ୍ ସ୍କୁଟର ୭୦ ହଜାର ଟଙ୍କା ରେଞ୍ଜରୁ ଆରମ୍ଭ ହେଉଥିବା ବେଳେ ବାଜ୍ କମ୍ପାନୀ ମାତ୍ର ୩୫ ହଜାର ଟଙ୍କାରେ ସ୍କୁଟର ଲଂଚ କରିଛି  ।

ଆଇଆଇଟି ଦିଲ୍ଲୀ ସ୍ଥିତ ଇଲେକ୍ଟ୍ରିକସ୍ ମୋବିଲିଟି ଷ୍ଟାଟଅପ୍ କମ୍ପାନୀ ବାଜ୍ ବାଇକ୍ସ ତରଫରୁ ବଜାରରେ ଜୋରଦାର ପ୍ରବେଶ ହୋଇଛି । କମ୍ପାନୀ ତରଫରୁ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ବାଜ୍ ଲଂଚ କରାଯାଇଛି । ଏହି ସ୍କୁଟରରେ ବ୍ୟାଟେରୀ ସ୍ୱାଇପିଂର ସୁବିଧା ରହିଛି । ଏଥିରେ ଜଣେ ଗ୍ରାହକ ଏକାଥରକେ ୯ ଟି ବ୍ୟାଟେରୀ ଫିକ୍ସ କରିପାରିବ ।

କମ୍ପାନୀ ତରଫରୁ କୁହାଯାଇଛି ଯେ ସ୍ୱାଇପିଂ ଷ୍ଟେସନରେ ବ୍ୟାଟେରୀ ବଦଳାଇ କେହି ବି ଦୀର୍ଘ ଦୂରତା ରାସ୍ତା ଯାଇପାରିବ । ଏହି ସ୍ୱାଇପିଂ ଷ୍ଟେସନ ଭିନ୍ନ ଭିନ୍ନ ପାଗକୁ ନଜରରେ ରଖି ଡିଜାଇନ କରାଯାଇଛି । ଏହି ସ୍କୁଟରକୁ ଆପଣ ସର୍ବାଧିକ ୨୫ କିଲୋମିଟର ଘଂଟାପ୍ରତି ବେଗରେ ଚଳାଇ ପାରିବେ ।