ବର୍ଷ ଆରମ୍ଭରୁ ବୈଷ୍ଣୋଦେବୀ ଯାତ୍ରାରେ ଅଭାବନୀୟ ଘଟଣା । ଦଳାଚକଟାରେ ଚାଲିଗଲା ୧୨ ଜଣଙ୍କ ଜୀବନ

140

କନକ ବ୍ୟୁରୋ: ନୂଆବର୍ଷରେ ବୈଷ୍ଣୋଦେବୀ ଅଘଟଣକୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ମାଙ୍କ ଦର୍ଶନ ପାଇଁ ରାତିରୁ ଲମ୍ବା ଲାଇନ୍ ଥିଲା କିନ୍ତୁ ବଚସାରୁ ଠେଲାପେଲା ହେଲା ଆଉ ସୂର୍ଯ୍ୟୋଦୟ ହେବା ବେଳକୁ ଚାଲିଯାଇଥିଲା ୧୨ ଜୀବନ । ତେବେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜମ୍ମୁ ରାଜ୍ୟପାଳ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରାଯାଇଥିବା ବେଳେ ଆହତଙ୍କ ପାଇଁ ୫୦ ହଜାରରୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ସରକାର ।

ନୂଆବର୍ଷର ପ୍ରଥମ ସୂର୍ଯ୍ୟକିରଣ ଯେତେବେଳେ ଭାରତକୁ ଛୁଉଁଥିଲା ସେତେବେଳେ ବୈଷ୍ଣୋଦେବୀରେ ୧୨ ଜଣଙ୍କର ମୃତ୍ୟୁ ଘଟିସାରିଥିଲା । ୧୪ରୁ ଅଧିକ ଆହତ ହୋଇଥିଲେ । ନୂଆବର୍ଷର ପ୍ରଥମ ସକାଳକୁ ଯେତେବେଳେ ଲୋକେ ଆନନ୍ଦିତ ହେଉଥିଲେ । ସେତେବେଳେ କିନ୍ତୁ ବୈଷ୍ଣୋଦେବୀର ଏହି ଅଘଟଣ ସମସ୍ତଙ୍କୁ ହତବାକ୍ କରିଥିଲା । ଦୁର୍ଘଟଣାରୁ ବର୍ତିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ନୂଆବର୍ଷରେ ଅଧିକ ଲୋକେ ଆସିବାର ସମ୍ଭାବନା ଥିଲା । ଅନେକ ଶ୍ରଦ୍ଧାଳୁ ମଧ୍ୟ ଆସିଥିଲେ । ଏପରି ସ୍ଥିତିରେ ଭିଡକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ।

ତେବେ ମା’ଙ୍କ ଦର୍ଶନ ପାଇଁ ରାତି ଗୋଟାଏରୁ ଲମ୍ବା ଲାଇନ୍ ଲାଗିବା ଆରମ୍ଭ ହୋଇଥିଲା । ହେଲେ ରାତି ୨ଟା ୪୫ ମିନିଟ୍ ବେଳକୁ ଲାଇନରେ ଛିଡା ହୋଇଥିବା ବ୍ୟକ୍ତି ଠେଲାପେଲା ହେବାରୁ ବିବାଦ ବଢିଥିଲା । ଆଉ ଗହଳି ଭିତରେ ଠେଲାପେଲା ଆରମ୍ଭ ହୋଇଥିଲା । ଯାହା ଦଳଚକଟା ଆଡକୁ ମୁହାଁଥିଲା । ଗହଳି ଭିତରେ ଲୋକେ ବାହାରି ପାରୁନଥିଲେ । ହେଲେ ଠେଲାପେଲା ଭିତରେ ଯେଉଁମାନେ ତଳି ପଡିଯାଇଥିଲେ  । ଯେଉଁ କାରଣରୁ ସେମାନେ ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଏହା ବଡ ଅଘଟଣ ଆଗକୁ ବଢିବା ପୂର୍ବରୁ ପୁଲିସ ପ୍ରଶାସନର ତ୍ୱରିତ ପଦକ୍ଷେପ ବିବାଦକୁ ପ୍ରଶମିତ କରିଥିବା ଜଣାପଡିଛି । ଅନ୍ୟପଟେ ପରିଚାଳନାର ଭୁଲ୍ ପାଇଁ ଏପରି ଏକ ଅଘଟଣ ଘଟିଥିବା କୁହାଯାଉଛି ।

ଅନ୍ୟପଟେ ଏହି ଅଘଟଣକୁ ସମ୍ବେଦନଶୀଳ ବୋଲି ଦର୍ଶାଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରାଳୟର ପ୍ରିନସିପାଲ ସେକ୍ରେଟେରୀ, ଜମ୍ମୁର ଏଡିଜିପି ଏବଂ ଡିଭିଜନାଲ କମିଶନରଙ୍କୁ ନେଇ ଏହି ତଦନ୍ତ ହେବ ।