ଦିଲ୍ଲୀରେ ୯ ବର୍ଷର ଝିଅକୁ ହତ୍ୟା ଘଟଣା । ପୀଡିତାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା ।

118

କନକ ବ୍ୟୁରୋ: ଦିଲ୍ଲୀରେ ୯ ବର୍ଷର ଝିଅକୁ ହତ୍ୟା କରିବା ଘଟଣା ଏବେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ବିରୋଧୀମାନେ ଏହାକୁ ନେଇ କେଜ୍ରିୱାଲ ସରକାକୁ ଟାର୍ଗେଟ କରୁଥିବାବେଳେ ଆଜି ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାରେ ଆଜି ପୀଡିତାଙ୍କ ପରିବାରକୁ ଭେଟିବା ସହିତ ତାଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ପୀଡିତାଙ୍କ ପରିବାରକୁ ସରକାର ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ବୋଲି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ବୁଧବାର ଏହି ସାକ୍ଷାତକାର ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହଟହଟାର ସମ୍ମୁଖୀନ ହୋଇଥିଲେ । ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚ ଭାଙ୍ଗି ଯାଇଥିଲା, ସେଠାରେ ସେ ଧକ୍କାମୁକ୍କାର ମଧ୍ୟ ସମ୍ମୁଖୀନ ହୋଇଥିଲେ ।

ତେବେ ୧୦ ଲକ୍ଷ ଟଙ୍କାର ସହାୟତା ସହିତ ଏହି ମାମଲାର ଯାଞ୍ଚ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତା ସହିତ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଜଣେ ବଡ ଓକିଲ ଲଢିବେ ବୋଲି ମଧ୍ୟ କୁହାଯାଇଛି । ଯାହା ଫଳରେ ଦୋଷୀମାନଙ୍କୁ ଉଚିତ୍ ଶାସ୍ତି ମିଳିପାରିବ । ଦିଲ୍ଲୀରେ ଆଇନ୍ ଶୃଙ୍ଖଳାକୁ କଠୋର କରିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳରେ ଜଣେ ୯ ବର୍ଷର ଝିଅର ମୃଦହେହ ଠାବ ହୋଇଥିଲା । ଏହାପରେ ପୀଡିତାଙ୍କ ପରିବାର ଲୋକ ଏହି ଘଟଣାକୁ ଦୁଷ୍କର୍ମ ଓ ପରେ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଦିଲ୍ଲୀ ପୋଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ପୋକ୍ସ ଆକ୍ଟ ମଧ୍ୟ ଦାୟର କରାଯାଇଛି ।