ଦିଲ୍ଲୀରେ ଅଧିକାରୀ ନିଯୁକ୍ତି ଓ ବଦଳି ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍

151

କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ମାମଲାରେ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟରେ ପହଂଚିଛନ୍ତି । ଦିଲ୍ଲୀ ସରକାରଙ୍କ ତରଫରୁ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଅଧ୍ୟାଦେଶ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହିଛି ।

ଦିଲ୍ଲୀ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି କି, କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଉ । ଏହି ଅଧ୍ୟାଦେଶ ଅସାମ୍ବିଧାନିକ । ସୂଚନା ଥାଉକି ଦିଲ୍ଲୀ ସରକାରଙ୍କ ଅଧିନରେ ଥିବା ଅଧିକାରୀ ଓ ନିଯୁକ୍ତି କ୍ଷମତାକୁ ମେ ୧୯ ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ଏହି କ୍ଷମତା ଉପ ରାଜ୍ୟପାଳଙ୍କ ହାତକୁ ଟେକି ଦେଇଥିଲେ ।

କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କର ଏଭଳି ଅଧ୍ୟାଦେଶ ବିରୋଧରେ ପୁରା ଆକ୍ସନମୋଡକୁ ଆସିଛି ଆମ୍ ଆଦମୀ ପାର୍ଟି । ଦଳ ତରଫରୁ ଜୁଲାଇ ୫ ତାରିଖରେ ଦିଲ୍ଲୀର ୭୦ ବିଧାନସଭା କ୍ଷେତ୍ର ଓ ୬ ରୁ ୧୩ ଜୁଲାଇ ମଧ୍ୟରେ ଦିଲ୍ଲୀ ଜୋନରେ ଅଧ୍ୟାଦେଶର କପି ପୋଡିବାକୁ ଯୋଜନା କରିଛି ।