ମୋଦୀଙ୍କ ମିଡ ନାଇଟ୍ ବୈଠକ। ବରିଷ୍ଠ ନେତାଙ୍କୁ ନେଇ ଘନଘନ ବୈଠକ ବଢାଇଲା ଚର୍ଚ୍ଚା

3,864

କନକ ବ୍ୟୁରୋ: ମୋଦୀଙ୍କ ମିଡନାଇଟ ମିଟିଂ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତୁହାକୁ ତୁହା ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଖୁବଶୀଘ୍ର ବିଜେପିର ସାଙ୍ଗଠନିକସ୍ତରରେ ପରିବର୍ତନ ହେବାକୁ ଯାଉଛି । ରାଜସ୍ତାନ,ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରୁଛି । ଆସନ୍ତା ୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନୂଆ କରି ନିର୍ମାଣ ହୋଇଥିବା କନଭେନସନ ସେଂଟରରେ ଏହି ବୈଠକ ହେବ ।

ଗତ ରାତିରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏହି ନେତା ମାନଙ୍କ ସହ ଆଲୋଚନା ହୋଇଥିଲା । ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍୍ର ପ୍ରଧାନ , ଭୂପେନ୍ଦ୍ର ଯାଦବଙ୍କୁ ସଙ୍ଗଠନର ଗୁରୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇପାରେ । ଗତ ଦୁଇ ବର୍ଷ ହେବ ମୋଦୀ କ୍ୟାବିନେଟରେ କୌଣସି ବଡ ଧରଣର ଅଦଳବଦଳ ହୋଇନି । ଗତ ମେ’ମାସରେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ହଟାଇ ଅର୍ଜ୍ଜୁନ ରାମମେଘୱାଲଙ୍କୁ ଆଇନ ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ।