କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧବଳେଶ୍ୱର ଡାକବଙ୍ଗଳାରେ ଭେଟିଲେ ଅରିନ୍ଦମ ରାୟ । ଷ୍ଟାର ଅଭିନେତା ବିଜେଡିରେ ଅସନ୍ତୁଷ୍ଟ ଥିବା ନେଇ ହେଉଛି ଚର୍ଚ୍ଚା ।

213

କନକ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ସହ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି ଅରିନ୍ଦମ । ଦୁଇ ଜଣଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଗତକାଲି କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍ ଧରି ଆଲୋଚନା ହୋଇଛି । ଦୁଇ ଦିନ ତଳେ କଟକରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ସେ ଆଗ ଧାଡିରେ ବସିଥିଲେ । ଆଉ କାର୍ଯ୍ୟକ୍ରମ ଶେଷ ହେବା ପରେ ପାଣ୍ଡିଆନଙ୍କ ସହ ଏକାଠି ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ହେଲେ ଏହି କାର୍ଯ୍ୟକ୍ରମର ୪୮ ଘଂଟା ନପୁରୁଣୁ ଅଶ୍ୱିନୀଙ୍କ ସହ ଏହି ଫଟୋ ଚର୍ଚ୍ଚା ସୃଷ୍ଟି କରିଛି । ୨୦୦୯ ମସିହାରୁ ବିଜେଡି ସହ ଅଛନ୍ତି ଅରିନ୍ଦମ । ବିଭିନ୍ନ ନିର୍ବାଚନ ବେଳେ ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରିଛି ଦଳ । ୨୦୧୬ ମସିହାରେ ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀକୁ ବିବାହ କରିଥିଲେ । ଏହା ପରଠୁ ସେ ଦଳରେ ଅଧିକ ସକ୍ରିୟ ହୋଇଥିଲେ ।

୨୦୨୨ ଜାନୁଆରୀରେ ଅରିନ୍ଦମଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା । ହେଲେ କଟକ ମେୟର ନିର୍ବାଚନରେ ଅରିନ୍ଦମ ବିଜେଡି ପ୍ରାର୍ଥୀ ହେବା ନେଇ ଆଶା ରଖିଥିବା ବେଳେ ଦଳ ସୁବାସ ସିଂହଙ୍କୁ ବାଛିଥିଲା । ଏହା ପରେ ଅରିନ୍ଦମ ଦଳରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।