କାଶ୍ମୀରେ ଜୋରଦାର ଚାଲିଛି ଆତଙ୍କୀ ନିପାତ ଅଭିଯାନ । ସୁରକ୍ଷାକର୍କୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ । ଉପରେ ନଜର ରଖିଛି ଡ୍ରୋନ ।

154

କନକ ବ୍ୟୁରୋ: ଲଗାତାର ଆକ୍ରମଣ ପରେ ଜମ୍ମୁରେ ଜୋରଦାର ଚାଲିଛି ଆତଙ୍କୀ ନିପାତ ଅଭିଯାନ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷା ବାହିନୀ । ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସର୍ଚ୍ଚ ଅପରେସନରେ ସାମିଲ ଡ୍ରୋନ କ୍ୟାମେରା ଦ୍ୱାରା ଆତଙ୍କବାଦୀର ମୃତଦେହ ଚିହ୍ନଟ ହୋଇଛି । ଆତଙ୍କୀର ମୃତଦେହ ନିକଟରେ ଅତ୍ୟାଧୁନିକ ଏମ-୪ ରାଇଫଲ ଠାବ କରାଯାଇଛି ।

ଗତ କିଛି ଦିନ ମଧ୍ୟରେ ୪ଟି ଆତଙ୍କୀ ଆକ୍ରମଣ ଘଟଣା ପରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀର ସୀମବର୍ତୀ ଅଞ୍ଚଳର ବିଭିନ୍ନ ଠିକଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପଟେ ଜୁନ ୨୯ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ରବିବାର ସୁରକ୍ଷା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଓ ଗୁଇନ୍ଦା ବିଭାଗର ଅଧିକାରୀ, ସିଆରପିଏଫ ଡିଜି ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକ ପରେ ଆଜି ଜମ୍ମୁ ଗସ୍ତରେ ଯାଇଛନ୍ତି ସିଡିଏସ ଅନୀଲ ଚୌହ୍ୱାନ ।