ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ଆଖି ବୁଜିଲେ ସାଇମଣ୍ଡସ । ବାପ ଛେଉଣ୍ଡ ହୋଇଗଲେ କୁନି ଝିଅ ।

309

କନକ ବ୍ୟୁରୋ : ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ । ଆଉ ବାପା ଛେଉଣ୍ଡ ହୋଇଗଲେ କୁନି ଝିଅ । ହଁ ଏ କାହାଣୀ ହେଉଛି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କର । ଯାହାଙ୍କର ଗତ ୧୫ ତାରିଖ ଦିନ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ୧୫ ତାରିଖ ବିଳମ୍ବିତ ରାତିରେ କ୍ୱିନ୍ସଲ୍ୟାଣ୍ଡରେ କାର ଦୁର୍ଘଟଣା ହେବା ପରେ ସାଇମଣ୍ଡସଙ୍କର ମୃତ୍ୟୁ ହୋଇଥିଲା । ଆଉ ସାଇମଣ୍ଡସଙ୍କ ମୃତ୍ୟୁ ପରେ ତାଙ୍କ ବାବଦରେ କିଛି ଅଜଣା କଥା ଲୋକଲୋଚନକୁ ଆଣିଛନ୍ତି ବନ୍ଧୁ ତଥା ପୂର୍ବତନ କ୍ରିକେଟର ଜିମି ମେହେର ।

ଜିମି ଏକ ସାକ୍ଷାତକାର ଦେଇ କହିଛନ୍ତି, ସାଇମଣ୍ଡସଙ୍କ ମୃତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛି । ଜଣେ କୁନି ଝିଅ ଯିଏ ନିଜର ଜନ୍ମଦିନ ୧୮ ମେ’ରେ ପାଳିଥାନ୍ତା ସେ ବାଉଛେଉଣ୍ଡ ହୋଇଯାଇଛନ୍ତି । ଅଥାର୍ତ ନିଜର ୧୦ମ ଜନ୍ମଦିନ ପାଳନ ପୂର୍ବରୁ ବାପା ସାଇମଣ୍ଡସଙ୍କୁ ହରାଇଛନ୍ତି ଝିଅ । ଏହାସହ ଜିମି କହିଛନ୍ତି, ସାଇମଣ୍ଡସ ଓ ତାଙ୍କର ପତ୍ନୀ ଅଲଗା ରହୁଥିଲେ । ଯେଉଁଥିପାଇଁ ସାଇମଣ୍ଡସ ଡିପ୍ରେସନରେ ରହିଥିଲେ । ପତ୍ନୀ ଲୋରା ପିଲାଙ୍କ ସହ ସିଡନୀରେ ରହୁଥିବା ବେଳେ ସାଇମଣ୍ଡସ ଏକାକୀ ଟାଉନ୍ସଭିଲରେ ରହୁଥିଲେ । ଆଉ ସାଇମଣ୍ଡସଙ୍କ ଦୁର୍ଘଟଣା ବାବଦରେ ଜାଣିବା ପରେ ପିଲାଙ୍କ ସହ ଲୋରା ଟାଉନ୍ସଭିଲରେ ପହଞ୍ଚିଥିଲେ ।

ସାଇମଣ୍ଡସଙ୍କ ପରିବାର ଏବେ ପୋଲିସର ପ୍ରାଥମିକ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏହି ରିପୋର୍ଟ ଆସିବା ପରେ ସାଇମଣ୍ଡସଙ୍କର ଅନ୍ତିମ ସଂସ୍କାର କରାଯିବ  । ଏହାଛଡା ସାଇମଣ୍ଡସଙ୍କ ଭଉଣୀ କହିଛନ୍ତି, ବିଳମ୍ବିତ ରାତିରେ ଏଭଳି ସ୍ଥାନରେ ସାଇମଣ୍ଡସ କଣ କରୁଥିଲେ ତାହା ସେ ଜାଣିନାହାନ୍ତି ।