ସେବାୟତ ବେଶରେ ରଥରେ ଚଢ଼ିଲେ ଅଣ-ସେବାୟତ । ଭାଇରାଲ ହେଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ ।

346

କନକ ବ୍ୟୁରୋ: ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣ ସେବାୟତ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ରଥ ଉପରକୁ ଅଣସେବାୟତ କେମିତି ଚଢ଼ିଲେ ଏବଂ ରିଲ୍ସ କରିବାକୁ କିଏ ଦେଲା ଅନୁମତି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ମହାପ୍ରଭୁଙ୍କ ଘୋଷଯାତ୍ରା ସରିବା ପରେ ଭାଇରାଲ ହେଉଛି କିଛି ଭିଡିଓ ଓ ଫଟୋ । ଯେଉଁଥିରେ ଦେଖାଯାଉଛି, ସେବାୟତ ବେଶରେ କିଛି ଭକ୍ତ ରଥ ଉପରେ ଚଢ଼ିଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ଉଠାଇଛନ୍ତି । ରିଲ ବି ବନାଇଛନ୍ତି । କେବଳ ସେତିକି ନୁହେଁ, ସେହି ଫଟୋ ଓ ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ଅପଲୋଡ ବି କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ରଥ ଉପରେ ଚଢ଼ିଥିବା ଭକ୍ତମାନେ କୌଣସି ସେବାୟତ ନୁହଁନ୍ତି । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ସୁରକ୍ଷା ବ୍ୟବସ୍ଥା କଡାକଡି ବୋଲି କୁହାଯାଉଥିବା, ସେମାନେ ରଥ ଉପରକୁ କେମିତି ଚଢ଼ିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ ।

ତେବେ ରଥ ଉପରେ ବସିଥିବା ଲୋକମାନେ ସହାୟକ ବୋଲି କହି ସଫେଇ ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । କହିଛନ୍ତି, ସେମାନେ ବାହାରର କେହି ନୁହନ୍ତି । ସେବାୟତଙ୍କ ସହାୟତା କରିବା ପାଇଁ ସହାୟକ ନେଇପାରବେ । ତେବେ ରଥ ଉପରେ ଅଣ ସେବାୟତ ଚଢ଼ିବା ସାଧାରଣରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।