ମହୁମାଛି ଆକ୍ରମଣରେ ଗଲା ଇଂଜିନିୟରିଂ ଛାତ୍ରଙ୍କ ଜୀବନ: ବାଙ୍କୀ ପାଣ୍ଡବ ବଖରା ଗୁମ୍ଫା ବୁଲିବା ବେଳେ ଘଟିଲା ଅଘଟଣ

391

କନକ ବ୍ୟୁରୋ: କଟକ ବାଙ୍କୀରେ ଥିବା ପର୍ଯ୍ୟଟନସ୍ଥଳୀ ପାଣ୍ଡବ ବଖରା ବୁଲିବାକୁ ଯାଇ ମହୁମାଛି ଆକ୍ରମଣରେ ଇଂଜିନିୟରିଂ ଛାତ୍ର ମୃତ । ମୃତକ ହେଉଛନ୍ତି ତାଳଚେର ଅଂଚଳର ଶୁଭେନ୍ଦୁ ସାହୁ । ସେ ତାଙ୍କ ସାଙ୍ଗ ଜାଗୃତି ଦାସ ଓ ଅବିନାଶ ଦାସଙ୍କ ସହ ପାଣ୍ଡବ ବଖରା ଗୁମ୍ଫା ବୁଲିବାକୁ ଯାଇଥିଲେ । ଗୁମ୍ଫାଟି ପାହାଡର ଶୀର୍ଷରେ ଥିବାରୁ ଏମାନେ ଚାଲି ଚାଲି ଯାଇଥିଲେ । ଉପରେ ପହଂଚି ବୁଲାବୁଲି କରୁଥିବା ବେଳେ ବାଘୁଆ ମହୁମାଛି ଦଳ ସେମାନଙ୍କ ଆଡକୁ ମାଡି ଆସିଥିଲେ ।

ଏହା ଦେଖି ସମସ୍ତେ ତଳକୁ ଦୌଡ଼ିଥିଲେ । ଅବିନାଶ ଓ ଜାଗୃତି ଦୌଡ଼ି ତଳକୁ ପଳାଇ ଆସିଥିବା ବେଳେ ଶୁଭେନ୍ଦୁ ତଳେ ପଡ଼ିଯାଇଥିଲେ । ମହୁମାଛି ସଂଘବଦ୍ଧ ଭାବେ ତାଙ୍କୁ ଘେରିଯାଇଥିଲେ । ଘନଘନ କାମୁଡ଼ି ତାଙ୍କୁ ଲହୁଲୁହାଣ କରିଦେଇଥିଲେ । ଗାଁଲୋକେ ପାହାଡ ଉପରେ ପହଂଚି ତାଙ୍କୁ ଉଦ୍ଧାର କରି ବାଙ୍କୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭେନ୍ଦୁ ଜଣେ ସଫ୍ଟୱେର ଇଂଜିନିୟରିଂ ଛାତ୍ର । ସେ ଭୁବନେଶ୍ୱର ପଟିଆ ଅଂଚଳରେ ରହି ଏକ ଘରୋଇ କଲେଜରେ ପଢୁଥିଲେ ।