କାଶ୍ମୀରରେ ଲଗାତାର ଆତଙ୍କୀ ଆକ୍ରମଣ ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ । ଏନଏସଏ, ର’ ସାମିଲ ।

115

କନକ ବ୍ୟୁରୋ: ଅମରନାଥ ଯାତ୍ରା ପୂର୍ବରୁ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ । କାଶ୍ମୀର ଘାଟିରେ ଆତଙ୍କବାଦ ନିରୋଧୀ ଅପରେସନ ଜୋରଦାର କରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ । ଗତକିଛି ଦିନ ମଧ୍ୟରେ ଜମ୍ମୁ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି । ସେନା କ୍ୟାମ୍ପ ସମେତ ତୀର୍ଥଯାତ୍ରୀ ବସ ଉପରେ ଆକ୍ରମଣ ପରେ ଏବେ କେନ୍ଦ୍ର ସରକାର ଆକ୍ସନ ମୋଡକୁ ଆସିଛନ୍ତି । ଜୁନ ୨୯ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ସହିତ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଉପରେ ଶାହ ଜୋର ଦେଇଛନ୍ତି । ଜମ୍ମୁ ଅଞ୍ଚଳରେ ପୁଣି ବଢୁଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ଏହାକୁ କୌଣସି ବି ମୂଲ୍ୟରେ ଆଗକୁ ବଢାଇବାକୁ ନଦେବାକୁ ବରିଷ୍ଠ ଅଧିକାରୀ ମାନଙ୍କ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅମରନାଥ ଯାତ୍ରାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଏହି ବୈଠକରେ ଆଲୋଚନା କରାଯାଇଛି ।

ରବିବାର ଦିଲ୍ଲୀରେ ବସିଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଓ ଗୁଇନ୍ଦା ବିଭାଗର ଅଧିକାରୀ, ସିଆରପିଏଫ ଡିଜି ପ୍ରମୁଖ ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀର ବର୍ତମାନର ସୁରକ୍ଷା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅଧିକାରୀ ମାନେ ଅବଗତ କରାଇଥିଲେ ।