ଥମିବାର ନାଁ ଧରୁନି ଆମାଜନ ଜଙ୍ଗଲ ନିଆଁ : ଆୟତ କରିବାକୁ ସେନା ପଠାଇଲେ ବ୍ରାଜିଲ ରାଷ୍ଟ୍ରପତି, ସହାୟତାର ହାତ ବଢାଇଲା ଆମେରିକା

822

କନକ ବ୍ୟୁରୋ : ଥମିବାର ନାଁ ଧରୁନି ବ୍ରାଜିଲର ଆମାଜନ ଜଙ୍ଗଲ ନିଆଁ । ବିଶ୍ୱର ସବୁଠାରୁ ବଡ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଏବେ କଷ୍ଟକର ହୋଇଗଲାଣି । ନିଆଁ ପ୍ରଭାବରେ ଆମାଜନ ଜଙ୍ଗଲର ଅନେକ ଅଂଶ ପୋଡି ଛାରଖାର ହୋଇଗଲାଣି । ଅନେକ ବିରଳ ପ୍ରାଣୀ ତଥା ମୂଲ୍ୟବାନ ଗଛଲତା ନିଆଁରେ ପୋଡ଼ି ଛାରଖାର ହୋଇଯାଇଛି । ନିଆଁର ଆଁରେ ପାଖାପାଖି ୨୭୦୦ କିମି ଅଞ୍ଚଳ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଆମାଜନ ନିଆଁ ଲିଭାଇବାକୁ ବ୍ରାଜିଲକୁ ସହାୟତାର ହାତ ବଢାଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି ବ୍ରାଜିଲକୁ ଆମାଜନ ଜଙ୍ଗଲ ନିଆଁ ଲିଭାଇବାକୁ ସହାୟତା କରିବେ ବୋଲି କହିଛନ୍ତି ।

ସେପଟେ ଆମାଜନ ନିଆଁ ଲିଭାଇବାକୁ ବ୍ରାଜିଲ ରାଷ୍ଟ୍ରପତି ସେନା ନିୟୋଜିତ କରିଛନ୍ତି । ଅନ୍ତର୍ଜାତୀୟ ଚାପ ବଢିବା ପରେ ବ୍ରାଜିଲ ରାଷ୍ଟ୍ରପତି ଜେୟାର ବୋଲସୋନାରୋ ଆମାଜନ ନିଆଁ ଲିଭାଇବାକୁ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି । କାରଣ ଆମାଜନ ହେଉଛି ବିଶ୍ୱର ସବୁ ଠାରୁ ବଡ ଜଙ୍ଗଲ । ଏହା ବିଶ୍ୱର ୨୦ ପ୍ରତିଶତ ଅମ୍ଳଜାନ ଯୋଗାଇବା ସହ ବିଶ୍ୱରେ ବର୍ଷା ପାଇଁ ବଡ ସହାୟକ ହୋଇଥାଏ । ଆଗାମୀ ଗ୍ଲୋବାଲ୍ ସମିଟ୍ ରେ ଫ୍ରାନସ ଆମାଜନ ନିଆଁକୁ ବଡ ମୁଦ୍ଦା କରିବ । ଏହା ଆଗରୁ ଆମେରିକା ବ୍ରାଜିଲକୁ ଆମାଜନ ନିଆଁ ଲିଭାଇବାକୁ ସହାୟତାର ହାତ ବଢାଇ, ଏହାକୁ ଯଥାଶୀଘ୍ର ଆୟତ କରିବାକୁ ଉଦ୍ୟମ ଆରମ୍ଭ କରିଛି ।