ଓଡ଼ିଶାରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ : ଗତ ମେ’ ମାସରୁ ନିଖୋଜ ଥିଲେ ନାବାଳିକା; ୩ ଲକ୍ଷ ଲେଖାଏଁ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ

500

କନକ ବ୍ୟୁରୋ : ଓଡ଼ିଶା ଓ ବିହାରରୁ ରାଜସ୍ଥାନ ଚାଲାଣ ହେଉଛନ୍ତି ଯୁବତୀ । ବେଆଇନ ଭାବେ ଓଡ଼ିଶା ଓ ବିହାରରୁ ରାଜସ୍ଥାନ ଚାଲାଣ ହୋଇଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ପୁଲିସ । ବଲାଙ୍ଗୀର ଜିଲ୍ଲାରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ବଲାଙ୍ଗୀର ବଙ୍ଗୋମୁଣ୍ଡା ପୁଲିସ ଉଦ୍ଧାର କରିଛି । ରାଜସ୍ଥାନର ନାଗୋର ଜିଲ୍ଲା ଟାଡାୱା ଗାଁର ଏକ ଘରେ ଚଢାଉ କରି ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଓଡ଼ିଶା ଆଣିଛି ।

ଏଥିସହ ସେଠାରେ ଥିବା ବିହାରର ଅନ୍ୟ ଜଣେ ନାବାଳିକାଙ୍କୁ ଓଡ଼ିଶା ପୁଲିସ ଉଦ୍ଧାର କରିଛି । ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିବା ନେଇ ଗତ ମେ’ ମାସରେ ବଙ୍ଗୋମୁଣ୍ଡା ଥାନାରେ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ ପରେ ଏକ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିଥିଲା । ନାବାଳିକା ଦୁଇ ଜଣଙ୍କ ମୋବାଇଲ ଟ୍ରାକ କରି ସେମାନଙ୍କୁ ଉଦ୍ଧାର କରାଯାଇଛି । ତାଙ୍କୁ ତିନି ଲକ୍ଷ ଟଙ୍କାରେ ବିକ୍ରି କରିଦିଆଯାଇଥିବା ନେଇ ନାବାଳିକା ଜଣଙ୍କ ପୁଲିସ ସମ୍ମୁଖରେ କହିଛନ୍ତି । ଏହି କାରବାରରେ ସମ୍ପୃକ୍ତ ଥିବା କଳା କାହ୍ନୁଙ୍କୁ ପୁଲିସ ଗିରଫ କରିଛି ।