ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଓ ଝିଅ କରୋନା ସଂକ୍ରମିତ, କାଲି କରାଇଥିଲେ କୋଭିଡ ଟେଷ୍ଟ

141

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଓ ତାଙ୍କ ଝିଅ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏନେଇ ନିଜେ ଡିମ୍ପଲ ଯାଦବ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଡିମ୍ପଲ କହିଛନ୍ତି କି ଟିକାର ୨ ଟି ଖୋରାକ ନେବା ପରେ ବି ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଡିମ୍ପଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି, “ମୋର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି , ମୁଁ ଟିକାର ଉଭୟ ଖୋରାକ ନେଇଛି, ନିଜର ଓ ଅନ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଁ ନିଜ ରୁମରେ ଏକୁଟିଆ ରହୁଛି, ଏବେ ଓ ପୂର୍ବରୁ ମୋ ସହିତ ମିଶିଥିବା ସମସ୍ତ ଲୋକ କୋଭିଡ ଟେଷ୍ଟ କରାଇ ନିଅନ୍ତୁ”

କହିରଖୁ କି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ରାଜ୍ୟସାରା ବୁଲି ବୁଲି ବିଜୟ ଯାତ୍ରା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ହଜାର ହଜାର କାର୍ଯ୍ୟକର୍ତ୍ତା ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୁଲାୟମ ସିଂ ଯାଦବ ଦିଲ୍ଲୀରେ ଏକ ବିବାହ କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ସମେତ ଅନେକ ନେତାଙ୍କ ସହ ସାକ୍ଷାତ କରିଥିଲେ । ତେଣୁ ଡିମ୍ପଲ ଓ ତାଙ୍କ ଝିଅଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ପୁରା ପରିବାର ଓ ତାଙ୍କ ସହିତ ମିଶିଥିବା ଲୋକମାନେ ତୁରନ୍ତ ସେମାନଙ୍କ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଏବେ ଦେଶରେ ତୀବ୍ର ଗତିରେ ବଢିଚାଲିଛି । ଏପର୍ଯ୍ୟନ୍ତ ଦେଶର ୧୫ ଟି ରାଜ୍ୟରେ ୨୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।