ନୁପୂର ଶର୍ମାଙ୍କୁ ନେଇ ଆଜମେର ଦରଘା ପରିଚାଳକଙ୍କ ହିଂସା ଉଦ୍ରେକକାରୀ ଭିଡିଓ ଜାରୀ, ଜାଣନ୍ତୁ ନୁପୂରଙ୍କ ନେଇ କଣ କହିଲେ ସଲମାନ

270

କନକ ବ୍ୟୁରୋ : ଦେଶରେ ମହଙ୍ଗାମାଡ, ରାଜନୈତିକ ଅସ୍ଥିରତା, ବେରୋଜାଗରୀ , ଭୋକ ଉପରେ ଏବେ ଭାରି ପଡୁଛି ଧାର୍ମିକ ଉନ୍ମାଦନା । ଦେଶର ୮୦ କୋଟି ଜନତା ସରକାରଙ୍କ ହାତଟେକା ରାସନ ସାମଗ୍ରୀକୁ ଭରଶା କରି ଜୀବନ ଜୀଉଁଥିବା ବେଳେ କିଛି ଧାମିର୍କ ମୌଳିବାଦୀ ଧର୍ମନାମରେ ଜାତି ନାମରେ ହିଂସା ଭିଆଇ ବାସ୍ତବ ସମସ୍ୟା ଉପରୁ ଲୋକଙ୍କ ଦୃଷ୍ଟି ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ କିଛିଦିନ ହେବ ଦେଶରେ ବିଜେପିର ପୂର୍ବ ପ୍ରବକ୍ତା ନୁପୂର ଶର୍ମାଙ୍କ ବୟାନ ନିଆଁ ଲଗାଇ ଦେଇଛି । ଜଣଙ୍କ ପରେ ଜଣେ ଏହି ନିଆଁରେ ଜଳି ଯାଉଛନ୍ତି । ଉଦୟପୁରର କହ୍ନେୟାଲାଲ ଓ ଅମରାବତୀରେ ଜଣେ ମେଡିସିନ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଏହି ଧାର୍ମିକ ମୌଳବାଦୀମାନେ । ହେଲେ ଏବେ ନୁପୂରଙ୍କ ନିଆଁରେ ପୁଣି ଘିଅ ଢାଳିଛନ୍ତି ଆଜମେର ଦରଘାର ଜଣେ ପରିଚାଳକ ।

ଆଜମେର ଦରଘାର ପରିଚାଳକ ସଲମାନ ଚିସ୍ତି ଏକ ଭିଡିଓ ଜାରୀ କରି କହିଛନ୍ତି କି ଜିଏ ନୁପୂରଙ୍କ ମୁଣ୍ଡକାଟି ଆଣିପାରିବ ସେ ତାଙ୍କୁ ଆଜମେରର ଗୋଟିଏ ଦୋକାନ ମାଗଣାରେ ଦେଇଦେବେ । କହିରଖୁ କି ସଲମାନ ପୂର୍ବରୁ ବି କିଛି ଅପରାଧରେ ସାମିଲ ଅଛନ୍ତି । ଏହି ଭିଡିଓରେ ସଲମାନ କହୁଛନ୍ତି କି, ଆରମ୍ଭରୁ ସେମାନଙ୍କୁ ଚେକ୍ ଦେଇଥିଲେ ସେମାନେ ଏଭଳି କଥା କହିବାକୁ ସାହସ କରିପାରି ନଥାନ୍ତେ । ଏହାସହ ସେ ତାଙ୍କ ମାଙ୍କ ନାମରେ ନିୟମ ଦେଇ କହିଛନ୍ତି କି ନୁପୂର ଶର୍ମା ତାଙ୍କ ସାମ୍ନାକୁ ଆସିଲେ ସେ ତାଙ୍କୁ ଗୁଳିମାରି ହତ୍ୟା କରିଦେବେ ।

ସଲମାନଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ଅଲବର ଗେଟ୍ ଥାନାରେ ମାମଲା ରୁଜୁ ହୋଇଛି । ଅଜମେର ଏସପି ବିକାଶ ସାଂଗବନ କହିଛନ୍ତି କି ଏହି ମାମଲାରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି । ଏହି ଭିଡିଓରେ ସଲମାନ ନିଶାରେ ଥିବା ଭଳି ନଜର ଆସୁଥିବା କଥା ଏସପି କହିଛନ୍ତି ।