ବିମାନରେ ମହିଳାଙ୍କ ଉପରେ ପରିଶ୍ରା କରିବା ପଡିବ ମହଙ୍ଗା, ଯାଂଚ ପାଇଁ ମୁମ୍ବାଇ ପହଂଚିଲା ଦିଲ୍ଲୀ ପୋଲିସ

402

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ତରଫରୁ ମୁମ୍ବାଇର ଶଂକର ମିଶ୍ରା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ଶଂକର ମିଶ୍ରାଙ୍କ ଉପରେ ବିମାନ ଭିତରେ ଜଣେ ୭୦ ବର୍ଷିୟା ମହିଳାଙ୍କ ଉପରେ ପରିଶ୍ରା କରିଥିବା ଅଭିଯୋଗ ରହିଛି । ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏଭଳି ଘଟଣା ଘଟିଥିଲା । ଏହି ମାମଲାର ଯାଂଚରେ ଏବେ ମାତ୍ର ୪ ଜଣ କ୍ରୁ ମେମ୍ବରଙ୍କୁ ସାମିଲ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଆଜି ସାମିଲ କରାଯିବ ବୋଲି ଜଣାପଡିଛି ।

ଦିଲ୍ଲୀ ପୋଲିସ ତରଫରୁ ମହିଳାଙ୍କ ଉପରେ ପରିଶ୍ରା କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାସହ ତଦନ୍ତ ପାଇଁ ଶୁକ୍ରବାର ଦିନ ଦିଲ୍ଲୀ ପୋଲିସର ଏକ ଟିମ୍ ମୁମ୍ବାଇରେ ପହଂଚିଛି । ଦିଲ୍ଲୀ ପୋଲିସର ସୂଚନା ମୁତାବକ ମୁମ୍ବାଇର କୁର୍ଲା ଅଞ୍ଚଳରେ ଶଂକର ମିଶ୍ରାଙ୍କ ସଂପର୍କୀୟ ରହୁଛନ୍ତି । ଶଂକର ବାବଦରେ ପଚରା ଉଚରା କରିବା ପାଇଁ ଦିଲ୍ଲୀ ପୋଲିସ ସେଠାରେ ପହଂଚିଛି ।

ସେପଟେ ଶଂକର ମିଶ୍ରା ତାଙ୍କ ହ୍ୱାଟସଆପ୍ ଷ୍ଟଟସରେ ଲେଖିଛନ୍ତି କି “ଭୁଲ ଆମକୁ ଅନେକ ଶିକ୍ଷା ଦେଇଥାଏ ଓ ଆମକୁ ପରିମାର୍ଜିତ କରିଥାଏ” । ସୂଚନା ମୁତାବକ ଅଭିଯୁକ୍ତ ଜଣଙ୍କ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ଏକ ବିମାନ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବେଳେ ସେ ବିଜନେସ୍ କ୍ଲାସରେ ଆସୁଥିଲେ । ଏହି ସମୟରେ ସେ ତାଙ୍କର ଜଣେ ମହିଳା ସହଯାତ୍ରୀଙ୍କ ଉପରେ ନିଶାରେ ପରିଶ୍ରା କରିଦେଇଥିଲେ । ପୋଲିସର ସୂଚନା ମୁତାବକ ଶଂକର ମିଶ୍ରା କାର୍ଲିଫର୍ଣ୍ଣିଆରେ ଆମେରିକାର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଉପାଧ୍ୟକ୍ଷ ଅଛନ୍ତି ।

ସେପଟେ ଏହି ମାମଲାରେ ଏୟାର ଇଣ୍ଡିଆ ଉପରେ ବର୍ଷିଛନ୍ତି ବେସାମରିକ ବିମାନ ଚଳାଚଳ ବିଭାଗ । ବିଭାଗ ତରଫରୁ କୁହାଯାଇଛି କି, ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଛି କି ଏୟାର ଇଣ୍ଡିଆ ବୋର୍ଡ ନିଜ ବିମାନରେ ଥିବା ଅନିୟନ୍ତ୍ରିତ ଯାତ୍ରୀଙ୍କୁ ସମ୍ଭାଳିବାକୁ କୌଣସି ପ୍ରାବଧାନ ପାଳନ କରୁନାହିଁ ।