ଅହମଦାବାଦ ଟେଷ୍ଟର ଦ୍ୱିତୀୟ ଦିନ: ପ୍ରଥମ ଦିନରେ ବ୍ୟାଟିଂ ପିଚର ଫାଇଦା ନେଲା ଅଷ୍ଟ୍ରେଲିଆ, ଭାରତର ଟେନସନ୍ ବଢ଼ାଇଲା ଉସମାନ ଖ୍ୱାଜାଙ୍କ ଶତକ

78

କନକ ବ୍ୟୁରୋ: ଅହମଦାବାଦ ଟେଷ୍ଟର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଦବଦବା ଦେଖିବାକୁ ମିଳିଛି । ବାମହାତୀ ଓପନିଂ ବ୍ୟାଟର ଉସମାନ୍ ଖ୍ୱାଜାଙ୍କ ଦମଦାର ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ କରିଛି ୨୫୫ ରନ୍ । ଖ୍ୱାଜା ୧୦୪ ଓ କାମେରନ୍ ଗ୍ରୀନ୍ ୪୯ ରନ୍ କରି ଅପରାଜିତ ରହିଛନ୍ତି । ଖ୍ୱାଜାଙ୍କ କ୍ୟାରିୟରର ଏହା ୧୪ତମ ଏବଂ ଭାରତ ବିପକ୍ଷରେ ପ୍ରଥମ ଶତକ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା । ଦୁଇ ଓପନର ଖ୍ୱାଜା ଓ ଟ୍ରେଭିସ ହେଡ୍ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିଥିଲେ । ହେଡ୍ ୩୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ମାର୍ନସ ଲାବୁସେନ୍ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୩୮ ଓ ପିଟର୍ ହ୍ୟାଣ୍ଡସ୍କମ୍ବ ୧୭ ରନ କରି ଆଉଟ୍ ହୋଇଥିଲେ । ତେବେ ଖ୍ୱାଜା ଓ ଗ୍ରୀନଙ୍କ ଯୋଡ଼ି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୮୫ ରନ୍ ଯୋଡ଼ିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୨ଟି, ଅଶ୍ୱିନ୍ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଅହମଦାବାଦ ଟେଷ୍ଟ ବିଜୟୀ ହେବା ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଭାରତ ଏହି ମୁକାବିଲା ଜିତେ, ତେବେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିନେବ । ପରାଜୟ ଓ ଡ୍ର’ ହେଲେ, ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଉପରେ ନିର୍ଭର କରିବାକୁ ପଡ଼ିବ । ଅଷ୍ଟ୍ରେଲିଆ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଛି ।