ସ୍ଥଳସେନା ଜାରି କଲା ଅଗ୍ନିପଥ ନିଯୁକ୍ତିର ପୂର୍ଣ୍ଣ ପ୍ରକ୍ରିୟା, ଜାଣନ୍ତୁ କାହାକୁ ମିଳିବ ଅଗ୍ରାଧିକାର

398

କନକ ବ୍ୟୁରୋ : ସ୍ଥଳସେନା ପକ୍ଷରୁ ଅଗ୍ନିପଥ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ମୁ୍ତାବକ ସ୍ଥଳସେନାରେ ଅଗ୍ନିବୀରଙ୍କୁ ୬ ଟି କାଟାଗୋରୀରେ ନିଯୁକ୍ତି ମିଳିବ । ଜୁଲାଇମାସରେ ସେନାର ଅଲଗା ଅଲଗା ନିଯୁକ୍ତି ଅଫିସ ତରଫରୁ ଭର୍ତ୍ତି ପାଇଁ ରାଲିର ତାରିଖ ଘୋଷଣା କରାଯିବ ।

ସ୍ଥଳସେନାରେ ଅଗ୍ନିପଥ ଯୋଜନାରେ ୬ ଟି କାଟାଗୋରୀରେ ନିଯୁକ୍ତି ମିଳିବ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କିରାଣୀ, ଟ୍ରେଡସମ୍ୟାନ (୮ମ ପାସ), ଟ୍ରେଡସମ୍ୟାନ (୧୦ମ ପାସ) ଭଳି ୬ ଟି କାଟାଗୋରୀରେ ନିଯୁକ୍ତି ମିଳିବ  ।

ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ଯୋଗ ଦେବାକୁ ଚାହୁଁଥିବା ସମସ୍ତ ଯୁବକଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଏହାପରେ ସମସ୍ତଙ୍କ ପାଇଁ ଅନଲାଇନ ଆଡମିଟକାର୍ଡ ଜାରି କରାଯିବ । ଏହି ଆଡମିଟକାର୍ଡ ଆଧାରରେ ନିଯୁକ୍ତି ରାଲି ଆୟୋଜିତ କରାଯିବ । ହେଲେ ଯଦି କେହି ନକଲି ଆଡମିଟ କାର୍ଡ ନେଇ ରାଲିରେ ସାମିଲ ହୁଅନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଏହାସହ ସ୍କୁଲ ପରୀକ୍ଷାରେ କେତେ ମାର୍କ ରହିଥିବା ଦରକାର ତାହା ବିଜ୍ଞପ୍ତିରେ କୁହାଯାଇଛି ।

ସେପଟେ ଶାରିରୀକ ସାମର୍ଥ୍ୟ , ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ଓ ଲିଖିତ ପରୀକ୍ଷା ପୂର୍ବରୁ ସେନାରେ ନିଯୁକ୍ତି ପାଇଁ ଥିବା ମାପଦଣ୍ଡ ମୁତାବକ କରାଯିବ । ହେଲେ ଏନସିସି କ୍ୟାଡେଟର୍ସଙ୍କୁ ଲିଖିତ ପରୀକ୍ଷାରେ ଅତିରିକ୍ତ ମାର୍କ ଦିଆଯିବ । ଏହା ବ୍ୟତୀତ ଯଦି କୌଣସି ଆଶାୟୀଙ୍କ ପାଖରେ ସ୍ପୋର୍ଟସ୍ ସାର୍ଟିଫିକେଟ ଥିବ ତେବେ ତାଙ୍କୁ ବି ଲିଖିତ ପରୀକ୍ଷାରେ ବୋନସ ମାର୍କ ମିଳିବ । ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ନିଯୁକ୍ତି ପାଇବା ପରେ ସୈନିକଙ୍କୁ ବାର୍ଷିକ ୩୦ ଟି ଛୁଟି ମିଳିବ । ଏହା ବ୍ୟତୀତ ମେଡିକାଲ କେସରେ ଅଲଗା ଛୁଟି ନେଇପାରିବେ ଅଗ୍ନିବୀରମାନେ ।

ଆପଣଙ୍କୁ କହିରଖୁ କି, ସାରା ଦେଶରେ ସେନାରେ ମୋଟ ୧୩ ଟି ଜୋନାଲ ରିକ୍ୟୁରିଟିମେଣ୍ଟ କାର୍ଯ୍ୟାଳୟ ରହିଛି । ଏହା ଅଧିନରେ ସାରା ଦେଶରେ ସ୍ଥଳସେନାର ମୋଟ ୭୫ ଟି ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ରହିଛି । ଏନେଇ ସ୍ଥଳସେନାର ଏଜି ଲେଫ୍ଟନାଣ୍ଟ ଜେନରାଲ ବି,ସି ପୋନ୍ନାପା କହିଛନ୍ତି କି, ଅଗ୍ନିବୀର ନିଯୁକ୍ତି ପାଇଁ ଅଗଷ୍ଟମାସରେ ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ରାଲିର ଆୟୋଜନ କରାଯିବ । ଏହାପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୋଟ ୮୩ ଟି ନିଯୁକ୍ତି ରାଲିର ଆୟୋଜନ କରାଯିବ ।