ରାଜନୀତିରେ ନାହିଁ ଅବସର ସମୟ? ବୟସ ବଢ଼ିଲେ ବି ସକ୍ରିୟ ନେତା !

153

କନକ ବ୍ୟୁରୋ : ସରକାରୀ ହେଉ ଅବା ବେସରକାରୀ, ଚାକିରିଆଙ୍କର ଅବସର ସୀମା ରହିଛି । ହେଲେ ସରକାରୀ ନିୟମ ପ୍ରଣୟନରେ ଗୁରୁତ୍ୱ ବହନ କରୁଥିବା ନେତାଙ୍କର ଅବସର ସୀମା ରହିବ କି ନାହିଁ ତାହା ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଆଉ ଏହି ପ୍ରସଙ୍ଗ ମହାରାଷ୍ଟ୍ର ମହାନାଟକରେ ଚାଲିଥିବା ବୟାନବାଜି ପରେ ପୁଣିଥରେ ଜୋର ଧରିଛି । ନୂଆ କରି ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାର କହିଛନ୍ତି, ସରକାରୀ ଚାକିରିଆ ୬୦ରେ ଅବସର ଗ୍ରହଣ କରୁଛନ୍ତି । ବିଜେପିରେ ୭୫ ହେଲେ ନେତା ଅବସର ନେଉଛନ୍ତି । କିନ୍ତୁ ତାଙ୍କ ଦଳର ପ୍ରତିଷ୍ଠାତାଙ୍କୁ ୮୨ ହେଲାଣି । ତେଣୁ ଏବେ ସେ ଆଶୀର୍ବାଦ ଦିଅନ୍ତୁ ଆଗକୁ ବଢିବା ପାଇଁ । ଏପରି କହି ଅଜିତ ପାୱାର ନିଜ ଦାଦା ତଥା ଦଳର ପ୍ରତିଷ୍ଠାତା ଶରଦଙ୍କୁ ରାଜନୀତିରୁ ଅବସର ନେବାକୁ ଆହ୍ୱାନ କରିଥିଲେ । ଆଉ ଏହାର ଜବାବ ଦେବାକୁ ଯାଇ ପାୱାର କହିଛନ୍ତି, ୮୨ ହେଉ ଅବା ୯୨ ଏବେ ବି ସେ ସକ୍ଷମ । ସେ ଓ ତାଙ୍କ ସମର୍ଥକ ପୁଣିଥରେ ଏନସିିପିକୁ ସଶକ୍ତ କରିବେ ।

ଓଡିଶାରେ ମଧ୍ୟ ନେତାଙ୍କ ଅବସର ବୟସ ଚର୍ଚ୍ଚାରେ ରହିଛି । ଆଗକୁ ନିର୍ବାଚନ ରହିଛି । ଏହାରି ଭିତରେ ଅନେକ ନେତା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉତରାଧିକାରୀଙ୍କୁ ଆଗକୁ ବଢାଇବାକୁ ରଣନୀତି ପ୍ରସ୍ତୁତ କଲେଣି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ସୁର ରାଉତରାୟ, ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ ସାମଲ, ଶଶୀଭୂଷଣ ବେହେରା, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଭଳି ଅନେକ ବରିଷ୍ଠ ନେତା ଏବେ ତାଙ୍କ ପରବର୍ତୀ ପିଢିକୁ ଥଇଥାନ କରିବାକୁ ପ୍ରସ୍ତୁତ ଚଳାଇଛନ୍ତି । ଅନେକ ନେତାଙ୍କର ଦେହାନ୍ତ ପରେ ତାଙ୍କ ପୁଅ ଝିଅ ମଧ୍ୟ ବିଧାୟକ ଆସନ ଅକ୍ତିଆର କରିସାରିଲେଣି ।

ନିକଟରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ମଧ୍ୟ ରାଜନୀତିରେ ଅବସର ସୀମାକୁ ନେଇ ବୟାନ ଦେଇଥିଲେ । କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ବୟାନ ଦେଇଥିଲେ ତାହା ଓଲଟା ପ୍ରତିଫଳିତ ହେବାରୁ କୁଆଡେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦ ହରାଇଛନ୍ତି ବୋଲି ଚର୍ଚ୍ଚା ହୁଏ ।