କନକ ବ୍ୟୁରୋ : ବ୍ରହ୍ମପୁର ସହର ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ରହିଛି ଗୋପାଳପୁର ବେଳାଭୂମି । ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ଦେଶ ବିଦେଶରୁ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଗୋପାଳପୁର ବେଳାଭୂମୀ ପାଖରେ ନିର୍ମିତ ହୋଇଛି ଇକୋ ରିଟ୍ରିଟ୍ ହବ୍ । ପ୍ରାୟ ୭ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇ ୩ ବର୍ଷ ତଳୁ କାମ ସରିଛି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇନି । ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକଙ୍କ ରହଣି ପାଇଁ ଅନୁମତି ମିଳୁନାହିଁ । ଫଳରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦାନା ବାନ୍ଧୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୬ରେ ଗୋପାଳପୁରରେ ୯କୋଟି ଟଙ୍କା ବ୍ୟୟ ସହ ୪୫ଏକର ଜମିରେ ବିଡିଏ ପକ୍ଷରୁ ଇକୋ ରିଟ୍ରିଟ୍ ହବ୍ ନିର୍ମାଣ ହୋଇଛି । ସ୍ଥାୟୀ ଇକୋ ରିଟ୍ରିଟ୍ ହବ୍ରେ ପାର୍କିଂ ବ୍ୟବସ୍ଥା ସହ ୧୪ଟି କଟେଜ୍, ଘାସ ବଗିଚା, ଶିଶୁ ଉଦ୍ୟାନ, ସୁଇମିଙ୍ଗ୍ ପୁଲ୍ ରହିଛି । କଟେଜ୍ ଠାରୁ ବେଳାଭୂମିକୁ ସଂଯୋଗ ପାଇଁ କାଠ ପୋଲଟିଏ ବି ତିଆରି ହୋଇଛି । ଯାହା ଅଳ୍ପ କିଛି ବ୍ୟବହାର ହେବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ଗୋପାଳପୁର ଇକୋ ରିଟ୍ରିକ୍ ହବ୍ ପର୍ଯ୍ୟଟକଙ୍କୁ ନିରାଶ କରୁଥିବା ବେଳେ ପର୍ଯ୍ୟଟନ ବିଭାଗର ଟେଣ୍ଡର ପ୍ରକ୍ରିୟାକୁ ଅପେକ୍ଷା କରିଛି ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ । ଖୁବ୍ ଶୀଘ୍ର ସମସ୍ତ ପ୍ରକ୍ରିୟା ସାରି ଇକୋ ରିଟ୍ରିଟ୍ ହବ୍ଟି କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖିଛନ୍ତି ଗୋପାଳପୁର ଏନଏସି ଅଧ୍ୟକ୍ଷ ।
ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମେତ ସୋନପୁର ବେଳାଭୂମୀ ଓ ତାମ୍ପରା ହ୍ରଦ ଭଳି ପର୍ଯ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ତାମ୍ପରାରେ ଚାଲିଥିବା ନିର୍ମାଣ କାମ ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଏନଜିଟି ।