ହମାସ ନେତା ଇସମାଇଲ ହନିୟେର ଘର ଉଡେଇଦେଲା ଇସ୍ରାଏଲ

67

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଏକ ମାସ ବିତିଗଲାଣି ।  ଉଭୟ ପକ୍ଷରୁ ଭୟଙ୍କର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ହମାସକୁ ଶେଷ କରିଦେବାକୁ  ଶପଥ ନେଇଛି । ହମାସ ମଧ୍ୟ ପଛକୁ ହଟିବାକୁ ନାରାଜ ।  ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଗଲାଣି । ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଇସ୍ରାଏଲ ହମାସର ବରିଷ୍ଠ ନେତା ହନିୟେକୁ ଟାର୍ଗେଟ କରିଛି । ହମାସର ନେତା ଇସମାଇଲ ହନିୟେର ଘର ଉପରକୁ ଇସ୍ରାଏଲ ରକେଟ ମାଡ଼ କରିଛି ।

 

ଆତଙ୍କବାଦୀ ନେତା ଘର ଉପରେ ଆକ୍ରମଣ

ହମାସ ସହ ଜଡିତ ଅଲ-ଆକସା ରେଡିଓ ରିପୋର୍ଟ କରିଛି ଯେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ଗାଜାରେ ଆତଙ୍କବାଦୀ ଗୋଷ୍ଠୀର ରାଜନୈତିକ ମୁଖ୍ୟ ଇସମାଇଲ ହନିୟେର ଘର ଉପରକୁ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛି । ତେବେ ଆକ୍ରମଣ ସମୟରେ ହନିୟେ ଘରେ ଉପସ୍ଥିତ ନଥିଲା । ସେ ୨୦୧୯ ଠାରୁ ଗାଜା ଷ୍ଟ୍ରିପରେ ରହୁନାହିଁ । ସେ ନିଜର ଠିକଣା ବାରମ୍ବାର ବଦଳାଉଛି । ତୁର୍କୀ, କାତାର ଏବଂ ଇରାନ ଭିତରେ ସେ ରହୁଥିବାର ଖବର ପ୍ରକାଶ ପାଇଛି । ଏହାପୂର୍ବରୁ ଖବର ଆସିଥିଲା ​​ଯେ ହନିୟେ ତେହେରାନକୁ ପଳେଇଛି । ଏହି କ୍ଷେପଣାସ୍ତ୍ର ଆକ୍ରମଣରେ  IDF ଏପର୍ଯ୍ୟନ୍ତ ନିଜର କୌଣସି ପ୍ରତିକ୍ରିୟା ଦେଇନାହିଁ। ଏହି ଆକ୍ରମଣରେ କୌଣସି ହତାହତ ହେବାର ଖବର ମଧ୍ୟ ନାହିଁ ।

 

ପରିସ୍ଥିତି ବିଗିଡିବାରେ ଲାଗିଛି

ଇସ୍ରାଏଲର ଆକାଶମାର୍ଗ ଏବଂ ସ୍ଥଳଭାଗରୁ ଆକ୍ରମଣ ଯୋଗୁଁ ପାଲେଷ୍ଟାଇନରେ ମୃତ୍ୟୁ ସଂଖ୍ୟା ବଢିବା ସହ ମାନବିକ ସଙ୍କଟ ଗଭୀର ହେବାରେ ଲାଗିଛି । ଇସ୍ରାଏଲର ଅବରୋଧ ଯୋଗୁଁ ଔଷଧ ଏବଂ ଇନ୍ଧନ ଅଭାବରୁ ସେମାନଙ୍କ ସିଷ୍ଟମ ଭୁଶୁଡ଼ି ପଡ଼ିବାକୁ ଯାଉଛି ବୋଲି ଡାକ୍ତରଖାନା କହିଛି । ମିଳିତ ଜାତିସଂଘ ଶୁକ୍ରବାର ଦିନ କହିଛି ଯେ ଗାଜାର ପ୍ରାୟ ୧.୫ ନିୟୁତ ଲୋକ ବା ୭୦% ଲୋକଙ୍କୁ  ନିଜ ଘରୁ ଛାଡି ପଳାଇବାକୁ ବାଧ୍ୟ ହେଇଛନ୍ତି ।  ଖାଦ୍ୟ ସଙ୍କଟ

ପାଲେଷ୍ଟାଇନ ଶରଣାର୍ଥୀମାନଙ୍କ ପାଇଁ ମିଳିତ ଜାତିସଂଘ ଏଜେନ୍ସିର ଗାଜା ନିର୍ଦ୍ଦେଶକ ଥୋମାସ ହ୍ୱାଇଟ କହିଛନ୍ତି ଯେ ଗାଜାରେ ସାଧାରଣ ଲୋକ ବର୍ତ୍ତମାନ ଦିନକୁ ମାତ୍ର ଦୁଇଟି ରୁଟି ଉପରେ ନିର୍ଭର କରି ବଂଚିଛନ୍ତି ଯାହା ମଧ୍ୟରୁ ଅଧିକାଂଶ ଜାତିସଂଘର ଖାଦ୍ଯଶାଳାରେ ତିଆରି ହେଉଛି ।  ପାନୀୟ ଜଳର ସଂକଟ ମଧ୍ୟ ବଢିବାରେ ଲାଗିଛି ।

ଇସ୍ରାଏଲ ଆମେରିକାର ଅନୁରୋଧ ରଖିଲା ନାହିଁ

ଏପର୍ଯ୍ୟନ୍ତ ଏହି ଯୁଦ୍ଧର ସମାଧାନ ହେଲା ଭଳି ମନେ ହେଉନାହିଁ । ଆମେରିକାର ଅନୁରୋଧକୁ  ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ସାମୟିକ ଅସ୍ତ୍ରବିରତି କରି ଗାଜାକୁ ଅଧିକ ସହାୟତା ଯୋଗାଇବା ପାଇଁ  ଆମେରିକା ଚାହୁଁଥିଲା। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ମାନବିକତା କାରଣରୁ ଯୁଦ୍ଧକୁ କିଛି ସମୟ ପାଇଁ ବନ୍ଦ କରିବାକୁ ଆମେରିକା ଅନୁରୋଧ କରିଥିଲା । ଆମେରିକାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଇସ୍ରାଏଲ ରୋକଠୋକ କହିଛି ଯେ ହମାସ ବନ୍ଦୀ କରି ରଖିଥିବା ୨୪୦ ଜଣଙ୍କୁ ନିଃସର୍ତ୍ତ ଖଲାସ ନକରିବା ପର୍ଯ୍ୟନ୍ତ କୌଣସି ଅସ୍ଥାୟୀ ଅସ୍ତ୍ରବିରତି ହେବ ନାହିଁ ।

ଆମେରିକା କ’ଣ କହିଲା ?

ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ତୃତୀୟ ଥର ପାଇଁ ଇସ୍ରାଏଲ ଗସ୍ତ କରିଥିଲେ । ଅକ୍ଟୋବର ୭ ରେ ଦକ୍ଷିଣ ଇସ୍ରାଏଲରେ ହୋଇଥିବା ଆକ୍ରମଣ ପରେ ହମାସକୁ ଦମନ କରିବା ପାଇଁ ଇସ୍ରାଏଲର ଅଭିଯାନକୁ ସେ ସମର୍ଥନ ମଧ୍ୟ କରିଛନ୍ତି । ଗଭୀର ମାନବିକ ସଙ୍କଟର ମୁକାବିଲା ପାଇଁ ଯୁଦ୍ଧରେ ସାମୟିକ ବିରତି ପାଇଁ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଗ୍ରହକୁ ପୁଣିଥରେ ଦୋହରାଇଛନ୍ତି ।

ଇସ୍ରାଏଲ ଆକ୍ରମଣକୁ ଜୋରଦାର କରିଛି

ଗାଜା ସିଟି ଉପରେ ଇସ୍ରାଏଲ୍ ବାହିନୀର ଅବରୋଧ ଏବଂ ଏୟାର ଷ୍ଟ୍ରାଇକ୍ ଜାରି ରହିଛି । ଶୁକ୍ରବାର ଦିନ ଗାଜା ସହରର ଏକ ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ‘ଅଲ ଜଜିରା’ ଟିଭି ରିପୋର୍ଟ କରିଛି । ଗାଜାରେ ଥିବା ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ ଏହି ଆକ୍ରମଣ ଉତ୍ତର ଗାଜାର ତିନୋଟି ଡାକ୍ତରଖାନାର ପ୍ରବେଶ ପଥରେ ହୋଇଥିଲା ଯେତେବେଳେ ଡାକ୍ତରଖାନା କର୍ମଚାରୀମାନେ ଆହତମାନଙ୍କୁ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରିତ ଚେଷ୍ଟା କରୁଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଆଶ୍ରାଫ ଅଲ-କିଡ୍ରା କହିଛନ୍ତି ଯେ ଗାଜାର ଶିଫା ଡାକ୍ତରଖାନା ବାହାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି । ‘ଇଣ୍ଡୋନେସିଆ’ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ ଡାକ୍ତରଖାନା ବାହାରେ ହୋଇଥିବା ଆକ୍ରମଣରେ ଅତି କମରେ ୫୦ ଜଣ ଆହତ ହୋଇଛନ୍ତି।

ଏହି ଖବରର ପ୍ରତିକ୍ରିୟାରେ ଇସ୍ରାଏଲ କହିଛି ଯେ ହମାସର ଆତଙ୍କବାଦୀମାନେ ଏବେ ଆମ୍ବୁଲାନ୍ସ ସାହାଜ୍ୟରେ ଅନ୍ୟ ସ୍ଥାନକୁ ପଳେଇବାକୁ ଚେଷ୍ଟା କରୁଛନ୍ତି । ହମାସ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଅନେକ ସୁଡ଼ଙ୍ଗର ପ୍ରବେଶଦ୍ବାର ସବୁ ହସପିଟାଲ ପରି ସର୍ବସାଧାରଣ ସ୍ଥାନରେ ରହିଛି ।

ହମାସ ଆତଙ୍କବାଦୀ ମାନଙ୍କ ଉପରେ ତୀକ୍ଷଣ ନଜର

ଇସ୍ରାଏଲ ସେନା କହିଛି ଯେ ସେମାନେ ଏକ ଆମ୍ବୁଲାନ୍ସ ଉପରେ ଆକ୍ରମଣ ସେତେବେଳେ କରିଥିଲେ ଯେତେବେଳେ ହମାସ ସେଇ ଆମ୍ବୁଲାନ୍ସରେ ଅସ୍ତ୍ରଶସ୍ତ୍ର ନେଇ ଅଲଗା ସ୍ଥାନକୁ ଯାଉଥିଲେ । ଆମେ ତାଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଛୁ । ଆମ କବଳରୁ ଖସିଯିବା ତାଙ୍କପାଇଁ ଆଉ ସମ୍ଭବ ନୁହେଁ ।

ହିଜବୁଲା ଧମକ ଦେଉଛି

ହମାସ-ଇସ୍ରାଏଲ ଲଢେଇରେ ଏବେ ଲେବାନାନର ସନ୍ତ୍ରାସବାଦୀ ଗୋଷ୍ଠୀ ହିଜବୁଲା ମୁଣ୍ଡ ପୁରେଇଲାଣି । ହିଜବୁଲାର ଜଣେ ନେତା କହିଛନ୍ତି ଯେ ସୀମା ପାର ଲଢେଇ ଏବେ ଏକ ମହାଯୁଦ୍ଧରେ ପରିଣତ ହୋଇଛି । ଏହି ଅଞ୍ଚଳରେ ଆମେରିକାର ସାମରିକ ନିୟୋଜନ ବିଷୟରେ ହିଜବୁଲା ନେତା ହାସନ ନାସରାଲ୍ଲା କହିଛନ୍ତି ଯେ ଭୂମଧ୍ୟସାଗରରେ ଆପଣଙ୍କର ଯୁଦ୍ଧ ଜାହାଜ … ଆମକୁ ଭୟଭୀତ କରେଇ ପାରିବନାହିଁ ।ସମସ୍ତ ବିକଳ୍ପ ପାଇଁ ହିଜବୁଲ ପ୍ରସ୍ତୁତ ଅଛି। ” ନାସରାଲ୍ଲା କହିଛନ୍ତି ଯେ ତାଙ୍କର ଶକ୍ତିଶାଳୀ ସୈନ୍ୟବାହିନୀ ସୀମାରେ ଇସ୍ରାଏଲ୍ ସହିତ ଏକ ଅଭୂତପୂର୍ଣ ଯୁଦ୍ଧରେ ଲିପ୍ତ ଅଛନ୍ତି । ଏହି ଅଞ୍ଚଳରେ ବିବାଦକୁ ଆହୁରି ତୀବ୍ର କରିବାକୁ ସେ ଧମକ ଦେଇଛନ୍ତି । ନିଜ ଭାଷଣରେ ହିଜବୁଲ ଇସ୍ରାଏଲ-ହାମାସ ଯୁଦ୍ଧରେ ଯୋଗ ଦେଉଛନ୍ତି କି ନାହିଁ ନାସରାଲ୍ଲା ଘୋଷଣା କରିନାହାଁନ୍ତି । ସେ କହିଛନ୍ତି ଯେ ଲେବାନନ୍-ଇସ୍ରାଏଲ୍ ସୀମାରେ ଲଢେଇ ଏପର୍ଯ୍ୟନ୍ତ ଦେଖାଯାଇଥିବା ସମସ୍ତ ଲଢେଇରୁ ଭିନ୍ନ ହେବ ।

୧୦ ହଜାରରୁ ଅଧିକ ମୃତ

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗାଜାରେ ଏପର୍ଯ୍ୟନ୍ତ ୯୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।  ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳା ଏବଂ ନାବାଳକଅଟନ୍ତି ।  ଏହି ଯୁଦ୍ଧରେ ୧୪୦୦ ରୁ ଅଧିକ ଇସ୍ରାଏଲୀୟ ମଧ୍ୟ ପ୍ରାଣ ହରାଇଛନ୍ତି ।  ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ୭ ଅକ୍ଟୋବରରେ ହେଇଥିବା ହମାସର ପ୍ରାରମ୍ଭିକ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।