ଦେଶରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଫଗାନବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଘନି

235

କନକ ବ୍ୟୁରୋ : ଗୋଟେପଟେ ତାଲିବାନୀମାନେ ଆଫାଗାନିସ୍ତାନର ଅଧାରୁ ଅଧିକ ଅଂଶ ନିଜ ଦଖଲକୁ ଆଣିଛନ୍ତି । ତାଲିବାନ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଏବେ ପୁରା ଆଫଗାନ ଧୂଳିସାତ ହେବାରେ ଲାଗିଛି । ଯବାନ ମରୁଛନ୍ତି, ସାଧାରଣ ଲୋକ ବେଘର ହେଉଛନ୍ତି, ମହିଳାମାନଙ୍କୁ ଉଠାଇ ନେଇ ତାଲିବାନ ଆତଙ୍କବାଦୀମାନେ ଯୌନଦାସୀ ବନାଇ ଦେଉଛନ୍ତି । ଏଭଳି ସ୍ଥିତିରେ ଆଜି ପ୍ରଥମଥର ପାଇଁ ଆଫଗାନ ରାଷ୍ଟ୍ରପତି ଘନି ଦେଶବାସୀଙ୍କ ସମ୍ବୋଧିତ କରି ସାହସ ଦେଇଛନ୍ତି ।

ଘନି କହିଛନ୍ତି କି ଦେଶରେ ଲାଗିରହିଥିବା ଅସ୍ଥିରତା ରୋକିବାକୁ ସେ ଚେଷ୍ଟା କରୁଛନ୍ତି ଓ ଏନେଇ ସ୍ଥାନୀୟ ନେତା ଏବଂ ଅର୍ନ୍ତରାଷ୍ଟ୍ରୀୟ ଭାଗିଦାରୀଙ୍କ ସହ ପରାମର୍ଶ କରୁଛନ୍ତି । ଅସରଫ୍ ଘନି ଆହୁରି କହିଛନ୍ତି କି, “ଆପଣଙ୍କୁ ବିଶ୍ୱାସ ଦେଉଛି କି ଆପଣଙ୍କ ରାଷ୍ଟ୍ରପତି ଭାବେ ମୋର ଧ୍ୟାନ ଲୋକଙ୍କ ଅସ୍ଥିରତା, ହିଂସା ଓ ବିସ୍ତାପନ ବନ୍ଦ କରିବା ଉପରେ ରହିଛି । ମୁଁ ଆଫଗାନବାସୀଙ୍କ ଉପରେ ଯୁଦ୍ଦ ଲଦିଦେବାକୁ ଚାହୁଁ ନାହିଁ, ମୁଁ ଦେଶର ସଂପତିକୁ ଧ୍ୱଂସ ହେବାକୁ ଦେବି ନାହିଁ ।”

ସେ ଆହୁରି କହିଛନ୍ତି କି ଏଭଳି ସ୍ଥିତିରେ ଆଫଗାନ ସେନାକୁ ସଂଗଠିତ କରିବା ଆମର ପ୍ରଥମ କାର୍ଯ୍ୟ, ଅନ୍ୟପଟେ ସେ ଇସ୍ତଫା ଦେଉଥିବା ଖବର ଉପରେ କିଛି ବି ସଂକେତ ଦେଇ ନାହାନ୍ତି ଘନି ହେଲେ ଲାଗିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ସେ ପରାମର୍ଶ କରୁଥିବା କଥା କହିଛନ୍ତି ।

କହିରଖୁ କି ତାଲିବାନୀମାନେ ଶୁକ୍ରବାର ସୁଦ୍ଧା ଲେଗହର ଅଞ୍ଚଳର ରାଜଧାନୀ ପୁଲ-ଏ-ଆଲାମକୁ ବି ଦଖଲ କରିନେଇଛନ୍ତି । ଏବେ କାବୁଲ ପହଂଚିବାକୁ ତାଙ୍କୁ ମାତ୍ର ୫୦ କିଲୋମିଟର ବାକି ରହିଛି । ଅନ୍ୟପଟେ ତାଲିବାନୀମାନଙ୍କ ଆଧ୍ୟାତ୍ମିକ ଗଡ କୁହାଯାଉଥିବା କାନ୍ଦାହାର (ଯାହାକି ଆଫଗାନିସ୍ତାନର ଦ୍ୱିତୀୟ ବଡ ସହର) ତାକୁ ବି ତାଲିବାନ ଆତଙ୍କବାଦୀ ନିଜ ନିୟନ୍ତ୍ରଣକୁ ଆଣିଛନ୍ତି ।

ଏସବୁ ଭିତରେ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏନ୍ତେନିୟୋ ଗୁତାରେସ ଏନେଇ ଚିନ୍ତା ପ୍ରକଟ କରିବା ସହ କହିଛନ୍ତି କି ଆଫଗାନିସ୍ତାନର ସ୍ଥିତି ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ଏହାସହ ସେ ଆକ୍ରମଣ ରୋକିବାକୁ ତାଲିବାନକୁ କହିଛନ୍ତି । ସେ କହିଛନ୍ତି କି ସେନାବଳ ଦ୍ୱାରା କ୍ଷମତା ଛଡାଇ ଆଣିବା ଏକ ଅସଫଳ ପଦକ୍ଷେପ ।