ସରିଲା ମହାପ୍ରଭୁଙ୍କ ସୁନାବେଶ: ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି, ଶ୍ରୀବିଗ୍ରହମାନଙ୍କୁ ଭୋଗ ଲାଗି ପରେ ପଣାହାଣ୍ଡି ଭାଙ୍ଗି ଚଣ୍ଡି ଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ
କନକ ବ୍ୟୁରୋ: ସୁନାବେଶରେ ଦର୍ଶନ ଦେବା ପରେ ଆଜି ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯିବ। ଅଧର ନୀତି ସହିତ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ। ରାତି ୮ଟା ସୁଦ୍ଧା ୩ ରଥରେ ଅଧର ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ତିନି ବାଡରେ ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଂହାସନରେ ବିରାଜମାନ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଆଜି ସେଥିରେ ଅଧରପଣା ପ୍ରସ୍ତୁତ ହେବ। ତିନି ରଥରେ ୯ଟି ମାଟି ପାତ୍ର ସଜ ବସିବ। ସିଂହଦ୍ଵାର ସାମନା ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ତୁଣ୍ଡି ବାନ୍ଧି ପାଣି ଆଣିବେ। ଏଥିରୁ ପାଣି ଆସି ପିତଳ ହଣ୍ଡାରେ ଛାଣି ରଖାଯିବ। ସୁଆରମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ ହେବ।
Kanak News is now on WhatsApp
Join and get latest news updates delivered to you via WhatsApp
ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ତିନି ରଥ ଉପରେ ପୂଜାର୍ଚ୍ଚନା କରିବା ପରେ ପୂଜାପଣ୍ଡା ସେବକ ପଞ୍ଚ ଉପଚାରରେ ପୂଜା କରିବେ। ପଣା ହାଣ୍ଡିକୁ ତିନି ରଥ ପୋଖରିଆ ଉପରେ ପୂଜା ପରେ ଭଙ୍ଗା ଯିବ। ବିଶ୍ୱାସ ରହିଛି ଅଶରୀରୀମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧର ପଣା ହାଣ୍ଡି ଭଙ୍ଗା ଯାଇଥାଏ। ଅଧର ପଣାକୁ ପତିତମାନଙ୍କ ପାଇଁ ସାଧାରଣତଃ ସମର୍ପଣ କରାନଯାଇ ଉତ୍ସର୍ଗ କରାଯାଇଥାଏ। ରଥର ପାର୍ଶ୍ୱ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୁରିବୁଲୁଥିବାରୁ ପଣା ପରିପୂର୍ଣ୍ଣ ଅଧର ହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ଉତ୍ସର୍ଗ କରାଯାଏ ବୋଲି କଥିତ ଅଛି।
ଏଥି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନୀତି ନିର୍ଘଣ୍ଟ ମୁତାବକ ୬ଟାରୁ ୬ଟା ୩୦ ମଧ୍ୟରେ ମଙ୍ଗଳଆଳତି ହେବାକୁ ଥିବା ବେଳେ ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୂ ୧୦ଟା ୩୦ରେ ଗୋପାଳ ବଲ୍ଲଭ, ୧୧ଟା ୩୦ରୁ ୧୨ଟା୩୦ ସକାଳ ଧୂପ, ଗୋଟାଏ ୩୦ରେ ମହାସ୍ନାନ ସର୍ବାଙ୍ଗ, ୨ଟାରେ ବେଶ ଶେଷ, ୩ଟା ୩୦ରେ ମଧ୍ୟାହ୍ନ ଧୂପ ଥିବା ବେଳେ ରାତି ଆଠଟା ବେଳେ ଅଧର ପଣା ନୀତି ଶେଷ ହେବ। ଅଧର ପଣା ନୀତି ପରେ ମହାସ୍ନାନ, ମଇଲମ, ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି ବଡସିଂହାର ବେଶ, ବଡସିଂହାର ଭୋଗ ବଢ଼ି ଗରୁଡ଼ ଶୟନ ନୀତି ଶେଷ ହେବ। ଶେଷରେ ତିନି ରଥରେ ପହଡ ହେବ।
ଉଲ୍ଲେଖଯୋଗ୍ୟ, ୨୫ ତାରିଖରେ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ନୀତି ସଂପନ୍ନ ହେବ। ମା ଲକ୍ଷ୍ମୀଙ୍କ ରସଗୋଲା ନୀତି ଶେଷ ପରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ପ୍ରବେଶ କରିବେ।