ନିର୍ଯାତନାର ମାଳମାଳ ଅଭିଯୋଗ । ହେଲେ ଦବଙ୍ଗ ଆଇଆଇସିଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ । କାହାର ଛତ୍ରଛାୟା ତଳେ ଅଛନ୍ତି ମାର୍ଶାଘାଇ ଥାନାବାବୁ?

423

କନକ ବ୍ୟୁରୋ: ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଲମ୍ବି ଚାଲିଛି ଅଭିଯୋଗର ତାଲିକା । ହେଲେ, ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନି । ଯାହାକୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ । ରାଜନୀତି ବି ଆରମ୍ଭ ହୋଇଛି । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଥାନା ଆଗରେ ଧାରଣା ଦିଆଯାଇଛି । ସେପଟେ ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଡିଜିପି ସୁନୀଲ ବଂଶଲଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟର ଆଇନଜୀବୀ ।

  • ଅଭିଯୋଗ ବଢ଼ୁଛି, ହେଉନାହିଁ କାର୍ଯ୍ୟାନୁଷ୍ଠାନ
  • ମାର୍ଶାଘାଇ ଆଇଆଇସିଙ୍କ ବିରୋଧରେ ବିଜେପିର ପ୍ରତିବାଦ

ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ତେଜିଲା ପ୍ରତିବାଦ । ଆଇଆଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରି ଥାନା ଆଗରେ ଧାରଣା ଦେଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଆଇଆଇସି ବାରମ୍ବାର ଲୋକଙ୍କୁ ନିର୍ମମ ଅତ୍ୟାଚାର କରୁଥିଲେ ସୁଦ୍ଧା ତାଙ୍କ ନାଁରେ ଏତଲା ପଞ୍ଜିକରଣ ହେଉନାହିଁ । ପୋଲିସ ବାବୁଙ୍କୁ ବଦଳି କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ, ଦଳ ୭ ଦିନ ପରେ ଆନ୍ଦୋଳନର ଚେତାବନୀ ଦେଇଛି ।

  • ମିଳୁନି ଆକାଶଙ୍କ ପତ୍ତା
  • ନିଖୋଜକୁ ନେଇ ବଢ଼ିଲା ଚର୍ଚ୍ଚା

ସେପଟେ ଆଇଆଇସିଙ୍କ ଅତ୍ୟାଚାରର ଶିକାର ହୋଇଥିବା ଆକାଶ ମିଶ୍ରଙ୍କ ଏପର୍ଯ୍ୟନ୍ତ ଖୋଜ ଖବର ମିଳିନାହିଁ । ପ୍ରଥମେ ତାଙ୍କ ମାର୍ଶାଘାଇ ରୋଗୀ କଲ୍ୟାଣ ସମିତିରେ ଭର୍ତି କରାଯାଇଥିଲା । ସେଠାରେ ଭର୍ତି ହେବା ପୂର୍ବରୁ ପ୍ରେସକ୍ରିପସନରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି ଯେ, ଆକାଶ ନାଥ ଆଇଆଇସିଙ୍କ ନିର୍ମମ ମାଡ଼ର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମାର୍ଶାଘାଇରୁ ତାଙ୍କୁ କେନ୍ଦ୍ରାପଡ଼ା ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ କଟକରୁ ସେ କୁଆଡ଼େ ଯାଇଛନ୍ତି, ତାହା ତାଙ୍କ ଗ୍ରାମବାସୀଙ୍କୁ ସନ୍ଦେହରେ ପକାଇଛି ।

ଅନ୍ୟପଟେ ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଡିଜିପି ସୁନୀଲ ବଂଶଲଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟର ଆଇନଜୀବୀ ସନ୍ଦୀପନ ମିଶ୍ର । ଚିଠିରେ ଦର୍ଶାଇଛନ୍ତି, ‘ଜଣେ ପୋଲିସ ଅଧିକାରୀ ନୀରିହ ଲୋକଙ୍କ ବିରୋଧରେ ମିଛ ମାମଲା ରୁଜୁ କରିବା ଠାରୁ ବଡ଼ ଅପରାଧ କିଛି ନାହିଁ । ତେଣୁ ଏହାକୁ ଗୁରୁତର ସହ ନେଇ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା’କୁ ଚିଠିରେ ଉଲ୍ଲେଖ କରିଛନ୍ତି ସନ୍ଦୀପନ ।