ନକଲି ଔଷଧ ମାମଲା : ଏବେ ବି ୪ ଅଭିଯୁକ୍ତ ଫେରାର; ତନାଘନା ଆରମ୍ଭ

80

କନକ ବ୍ୟୁରୋ : ନକଲି ଔଷଧ ମାମଲାରେ ଏବେ ବି ୪ ଅଭିଯୁକ୍ତ ଫେରାର । ବଜାରକୁ ନକଲି ଔଷଧ ଛାଡ଼ିବା ଅଭିଯୋଗରେ ଦୁଇଟି ଏଜେନ୍ସିର ୪ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି । ଘଟଣା ପରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ ବୋଲି କଟକ ଡିସିପି ସୂଚନର ଦେଇଛନ୍ତି ।

ସେପଟେ ନକଲି ଔଷଧକୁ ବଜାରକୁ କେମିତି ଆସିଲା, ତାର ଚେର ଖୋଜିବା ପାଇଁ ପୋଲିସ୍ ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି । କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି । ଏହା ପରେ ଏହି କାରବାର କରୁଥିବା ଭିଆର ଏଜେନ୍ସିର ମାଲିକ ବର୍ଷାରାଣୀ କୌଲ ଓ ତାଙ୍କ ପୁଅ ଏବଂ ପୂଜା ଏଣ୍ଟରପ୍ରାଇଜେସର ମାଲିକ ସଂଜୟ ଜଲାନ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଏତଲା ଦେଇଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ।

ଏହି ଦୁଇ ଏଜେନ୍ସିର ଲାଇସେନ୍ସ ବାତିଲ କରାଯାଇଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ କଟକ ମେଡିସିନ ବିକ୍ରେତା ସଂଘ ଦାବି କରିଛି । ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖାଦେବାର ଆଶଙ୍କା ଅଧିକ ରହିଛି ।