ଆମେରିକାରେ ବଦଳିଲା ଗର୍ଭପାତ ଆଇନ। ଭାରତରେ ଗର୍ଭପାତ ପାଇଁ ରହିଛି ଏହି ନିୟମ, ପଢନ୍ତୁ …

160

କନକ ବ୍ୟୁରୋ : ଆମେରିକାର ସୁପ୍ରିମକୋର୍ଟ ଶୁକ୍ରବାର ଐତିହାସିକ ରାୟ ଶୁଣାଇଛନ୍ତି । ଗର୍ଭପାତକୁ ମଞ୍ଜୁରୀ ଦେଉଥିବା ୫ ଦଶକର ରାୟକୁ କୋର୍ଟ ବଦଳାଇଛନ୍ତି । ବର୍ତ୍ତମାନ ମହିଳାଙ୍କୁ ଗର୍ଭପାତ ନେଇ ଅଧିକାର ରହିବ ନା ନାହିଁ ତାହା ପାଇଁ ବିଭିନ୍ନ ରାଜ୍ୟ ଅଲଗା ଅଲଗା ନିୟମ ପ୍ରସ୍ତୁତ କରିବେ । ୫୦ ବର୍ଷ ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିରେ ଗର୍ଭପାତ କରିବାକୁ ଅଧିକାର ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଗର୍ଭପାତ ସହ ଜଡିତ ନିଷ୍ପତ୍ତି ପାଇଁ ମହିଳାଙ୍କୁ ଅଧିକାର ରହିଛି । ନୂଆ ନିୟମ ପରେ ଆମେରିକାର ଅଧାରୁ ଅଧିକ ରାଜ୍ୟ ଗର୍ଭପାତକୁ ନେଇ ନୂଆ ଗର୍ଭପାତ ଆଇନ ଲାଗୁ କରିବେ ।

ଆମେରିକା ସୁପ୍ରିମକୋର୍ଟର ଏହି ରାୟ ପରେ ସାରା ବିଶ୍ୱରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ମହିଳାଙ୍କ ଗୋଟିଏ ବଡ ଦଳ ଏହାକୁ ନେଇ ବିଶେଷକରି ଆଲୋଚନା କରୁଛନ୍ତି । ଭାରତ ବିଶ୍ୱର ସେହି ଦେଶ ମାନଙ୍କ ମଧ୍ୟରେ ରହିଛି ଯେଉଁଠାରେ ମହିଲାଙ୍କୁ ଆଇନତଃ ଭାବେ ଗର୍ଭପାତ କରିବାର ଅଧିକାର ରହିଛି । ତେବେ ପରିସ୍ଥିତି ଉପରେ ଏହା ନିର୍ଭର କରିଥାଏ ଏବଂ କିଛି ସର୍ତ୍ତ ମଧ୍ୟ ରହିଛି । ଏହାକୁ ପୂରଣ ପରେ ଗର୍ଭପାତ କରାଯାଇଥାଏ ।

ଭାରତରେ ଗର୍ଭପାତକୁ ନେଇ କଣ ରହିଛି ନିୟମ?
ଭାରତ ଓ କିଛି ଅନ୍ୟ ଦେଶରେ ଗର୍ଭାବସ୍ଥାରେ ଗୋଟିଏ ଅବଧି ମଧ୍ୟରେ ଗର୍ଭପାତ କରାଯାଇପାରିବ । ଭାରତରେ ମହିଳାଙ୍କୁ କିଛି ସର୍ତ୍ତ ଏବଂ ଏକ ସମୟ ସୀମା ଭିତରେ ଗର୍ଭପାତ କରିପାରିବେ । ତେବେ ମହିଳାଙ୍କୁ ଏଭଳି କରିବା ପାଇଁ ସ୍ୱାଧୀନତା ମିଳିନାହିଁ । ତେବେ ଏହା ନୁହେଁ କି ମହିଳା ଡାକ୍ତରଙ୍କ ପାଖକୁ ଯାଇ କହିବେ ଗର୍ଭପାତ ପାଇଁ କେବଳ ଡାକ୍ତରଙ୍କୁ ଯେତେବେଳେ ଲାଗିବ ଯେ କିଛି ଜଟିଳ ସମସ୍ୟା ରହିଛି ତେବେ ସେ ଗର୍ଭପାତକୁ ଅନୁମତି ଦେବା ପରେ ଗର୍ଭପାତ କରାଯାଇପାରିବ । ଭାରତରେ ଏଥିପାଇଁ ଚିକିତ୍ସକୀୟ ସମାପନ (ସଂଶୋଧନ)ନିୟମ ୨୦୨୧(ଏପଟିପିଆଇନ) ତିଆରି କରାଯାଇଛି ।

ଭାରତରେ ଗର୍ଭପାତ ପାଇଁ କଣ ସର୍ତ୍ତ ରହିଛି?
ଭାରତରେ ଗର୍ଭପାତ ପାଇଁ ମାନ୍ୟତାପ୍ରାପ୍ତ ଡାକ୍ତରଙ୍କ ଆଲୋଚନା କରିବା ଦରକାର । କୌଣସି ବି ତଥାକଥିତ ଡାକ୍ତର, ନର୍ସ କିମ୍ବା କମ୍ପାଉଣ୍ଡରଙ୍କ ଜରିଆରେ ଗର୍ଭପାତ କରିହେବନାହିଁ । ରେସିଡେଣ୍ଟ ଡାକ୍ତର ମଧ୍ୟ ଗର୍ଭପାତ କରାଇପାରିବେ ଯଦି ଗର୍ଭରେ ଭ୍ରୁଣ ୧୨ ସପ୍ତାହରୁ ଅଧିକ ସମୟ ନ ହୋଇଥାଏ । ଗର୍ଭପାତ ପାଇଁ କୌଣସି ଠୋସ କାରଣର ଆବଶ୍ୟକତା ରହିଛି । ଯଦି ଗର୍ଭବତୀ ମହିଳାଙ୍କ ଜୀବନ ଉପରେ କୌଣସି ଅସୁବିଧା ଥାଏ ତେବେ ଗର୍ଭପାତ ବୈଧ । ଗର୍ଭପାତ ମହିଳାଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି । ତେଣୁ ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇପାରିବ ।

ଗର୍ଭପାତ ପାଇଁ ତିଆରି ହୋଇଥିବା ମେଡିକାଲ ବୋର୍ଡରେ ଗର୍ଭପାତ ପୂର୍ବରୁ ଆବେଦନ କରାଯାଇଥାଏ । ବୋର୍ଡ ମେଡିକାଲ ରିପୋର୍ଟ ଆଧାରରେ ତିନି ଦିନ ମଧ୍ୟରେ ନିଷ୍ପତ୍ତି ନେଇଥାନ୍ତି ଯେ ଗର୍ଭପାତ ହେବ ନା ନାହିଁ । ସେହିଭଳି ଦୁଷ୍କର୍ମ ପିଡିତା କିମ୍ବା ନାବାଳିକାଙ୍କର ଗର୍ଭପାତ କରାଯାଇପାରିବ । ତେବେ ଏଠାରେ ମଧ୍ୟ ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତକୁ ଅନୁମତି ରହିଛି । ଯଦି ଗର୍ଭବତୀ ମହିଳାଙ୍କ ବୟସ ୧୮ ବର୍ଷରୁ କମ ହୋଇଥାଏ କିମ୍ବା ସେ ମାନସିକସ୍ତରରେ କମଜୋର ହୋଇଥାନ୍ତି ତେବେ ଗର୍ଭପାତ ପୂର୍ବରୁ ତାଙ୍କ ପିତାମାତାଙ୍କ ଅନୁମତିର ଆବଶ୍ୟକତା ରହିଛି । ଏମଟିପି ଆଇନ ଅନୁସାରେ ଦିବ୍ୟାଙ୍ଗ କିମ୍ବା ଗର୍ଭଧାରଣ ବେଳେ ବୈବାହିକ ସ୍ଥିତି ବଦଳିଥିବା ମହିଳା ମଧ୍ୟ ଗର୍ଭପାତ କରିପାରିବେ ।

୩ ବର୍ଷରୁ ନେଇ ଆଜୀବନ ଜେଲ ମଧ୍ୟ ସଜା ରହିଛି
ଭାରତରେ ଗର୍ଭପାତ କରାଇବା ପାଇଁ ବିଭିନ୍ନ ସର୍ତ୍ତ ରହିଛି । ଗର୍ଭପାତ ପାଇଁ ଯଦି କୌଣସି ସଠିକ କାରଣ ନଥାଏ ତେବେ ଆଇପିସି ଅର୍ଥାତ ଭାରତୀୟ ଦଣ୍ଡ ସଂହିତାର ଧାରା -୩୧୨ ଅନୁସାରେ ମହିଲା ଏବଂ ଗର୍ଭପାତ କରିଥିବା ଡାକ୍ତର ଅପରାଧୀ ହୋଇଥାନ୍ତି । ଦୋଷୀ ସାବ୍ୟସ୍ଥ ହେବା ପରେ ତିନି ବର୍ଷ ଯାଏ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଯଦି ମହିଳାଙ୍କ ସହମତି ବିନା ଗର୍ଭପାତ କରାଯାଇଥାଏ ତେବେ ଦୋଷୀଙ୍କୁ ୧୦ ବର୍ଷ କିମ୍ବା ଆଜୀବନ ଜେଲ ହୋଇଥାଏ ।

ବିଭିନ୍ନ ଦେଶରେ ଗର୍ଭପାତକୁ ନେଇ ଭିନ୍ନ ନିୟମ
ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କାରେ ଗର୍ଭବତୀ ମହିଳାଙ୍କ ଜୀବନ ଉପରେ ବିପଦ ଥିଲେ ଗର୍ଭପାତକୁ ଅନୁମତି ରହିଛି । ବାଂଲାଦେଶ, ବାହାରିନରେ ଗର୍ଭପାତ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । ତେବେ ଗର୍ଭବତୀ ମହିଳାଙ୍କ ଜୀବନ ଉପରେ ବିପଦ ଥିଲେ ଗର୍ଭପାତ କରାଯାଇପାରିବ । ଚୀନ ଓ କାନାଡାରେ ଗର୍ଭପାତ ପାଇଁ ମହିଲାଙ୍କୁ ପୂରା ସ୍ୱାଧୀନତା ରହିଛି । ଫ୍ରାନ୍ସରେ ମହିଳାଙ୍କ ଜୀବନ ଉପରେ ବିପଦ ଥିଲେ ହିଁ ଗର୍ଭପାତ କରାଯାଇପାରିବ । ତେବେ ଅନ୍ୟ ପରିସ୍ଥିତିରେ ଗର୍ଭଧାରଣର ୧୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଯାଇପାରିବ । ଇରାକ, ଲେବାନନ ଓ ଲିବିୟାରେ ଗର୍ଭବତୀ ମହିଳାଙ୍କ ଜୀବନ ଉପରେ ବିପଦ ଥିଲେ ଗର୍ଭପାତ କରାଯାଇପାରିବ । ଅବଖାଜିଆ, ମାଡାଗାସ୍କର ଏବଂ ମାଲଟାରେ ଗର୍ଭପାତ ଉପରେ ପୂରା କଟକଣା ରହିଛି ।