ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନିଜେ ଗାଡି କରି ପହଞ୍ଚାଇଲେ ଘରେ ।

321

କନକ ବ୍ୟୁରୋ: ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନାବାଳକକୁ ଉଦ୍ଧାର କରି ତା ଅଞ୍ଚଳକୁ ନେଇ ପହଞ୍ଚାଇଛନ୍ତି ବସ୍ କଣ୍ଡକ୍ଟର । ଘଟଣାଟି ଥିଲା କିଛି ଏହିପରି । ନାବାଳକ ସ୍ମୃତିରଞ୍ଜନ ମଲ୍ଲିକ, ବୟସ ୧୩ । ସପ୍ତମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ବାପା ବୁଧିରାମ ମଲ୍ଲିକ ଭୁବନେଶ୍ୱରରେ ଫୁଲ ବ୍ୟବସାୟ କରନ୍ତି । ସୋର ଥାନା ପଥରପେନ୍ତ ଅଞ୍ଚଳରେ ମାମୁଁ ଘରେ ରହି ପାଠ ପଢ଼ନ୍ତି । ବାପା ମା’ଙ୍କ ସହ ବାଲେଶ୍ୱର ବୁଲି ଆସିଥଲେ । ହେଲେ ଏତିକି ବେଳେ ବାପା ମା’ଙ୍କ ଠାରୁ ଭୁଲକ୍ରମେ ଏକୁଟିଆ ହୋଇଯାଇଥିଲେ, ଆଉ ବସରେ ବସିଥିବା ଦେଖିବାକୁ ମିଳିଥିଲେ । ବସଟି ବାଲେଶ୍ୱରରୁ ବାଲିଆପାଳ ଯାଉଥିଲା । ଏହି ସମୟରେ କଣ୍ଡକର ସୁରେନ୍ଦ୍ର କୁମାର ସିଂ ଟିକେଟ ସଂଗ୍ରହ କରିବାକୁ ଆସି ପଚାରିବାରୁ ପିଲାଟି ବସରେ ଏକୁଟିଆ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲେ । କେଉଁଆଡ଼କୁ ଯାଉଛି, ଆଉ କିଏ ସାଙ୍ଗରେ ଅଛି, ପଚାରିବୁଝିଥିଲେ ସୁରେନ୍ଦ୍ର । ଏହାପରେ ବସ୍ ଅଟକାଇ ସ୍ଥାନୀୟ ବସ୍ତା ଥାନା ସହ ଯୋଗାଯୋଗ କରିଥିଲେ । ସେଠାରୁ କଥା ହେବା ପରେ ସୁରେନ୍ଦ୍ର ନିଜେ ଗାଡ଼ି କରି ଆସି ପିଲାଟିକୁ ତାର ନିଜ ଘର ସହଦେବ ଖୁଂଟା ଅଞ୍ଚଳକୁ ଆଣିଥିଲେ ଓ ସ୍ଥାନୀୟ ପୋଲିସର ଜିମା ଦେଇଥିଲେ । ନାବାଳକକୁ ତା ଘରେ ପହଞ୍ଚାଇବାକୁ ସୁରେନ୍ଦ୍ର୍ରଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।