ଆଜି ରସଗୋଲା ଦିବସ : ମହାଲକ୍ଷ୍ମୀଙ୍କୁ ରସଗୋଲା ଭେଟିଦେବେ ଶ୍ରୀଜଗନ୍ନାଥ

335

କନକ ବ୍ୟୁରୋ : ଆଜି ରସଗୋଲା ଦିବସ । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ଆଉ ଏହି ଦିନକୁ ଓଡି଼ଆ ମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ପରମ୍ପରା ଅନୁଯାୟୀ ମାନଭଞ୍ଜନ ପାଇଁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ ମହାପ୍ରଭୁ କାଳିଆ ସାଆନ୍ତ । ସେହି ବିଧି ବ୍ୟବସ୍ଥା ଅନୁଯାୟୀ ରଥ ନିକଟରେ ଭକ୍ତମାନେ ରସଗୋଲା ଭୋଗ କରିଥାନ୍ତି ।

ଏହା ସହ ଓଡ଼ିଶାର ଘରେ ଘରେ ପର୍ବପର୍ବାଣୀରେ ମିଠାର ବ୍ୟବହାର ହୁଏ । ପ୍ରିୟ କାଳିଆ ଠାକୁର ପୁଣି ଆଜି ରତ୍ନ ବେଦୀକୁ ବାହୁଡ଼ିବେ । ତେଣୁ ଏହି ଆନନ୍ଦର ମୁହୂର୍ତକୁ ପାଳନ କରିବାକୁ ରସଗୋଲା ଭୋଗ କରାଯାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ରସଗୋଲା ଭୋଗର ପରମ୍ପରା ବହୁ ପୁରୁଣା । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ବେଳେ ରଥଉପରେ ରସଗୋଲା ଭୋଗ ଲାଗି ହୁଏ । ଏଥିପାଇଁ ସ୍ୱତନ୍ତ୍ର ବେହେରା ପରିବାର ରଥ ସମୟରେ ସ୍ୱତନ୍ତ୍ର ରସଗୋଲା ପ୍ରସ୍ତୁତ କରିଥାନ୍ତି ।

କେବେଠାରୁ ଆରମ୍ଭ ହୋଇଛି ଏହି ରସଗୋଲା ଦିବସ ?

୨୦୧୫ ଜୁଲାଇ ୪ ତାରିଖ ( ନିଳାଦ୍ରୀ ବିଜେ ଦିନ) ଏହା ପ୍ରଥମେ ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ରଥମେ ରସଗୋଲା ଦିବସକୁ ଗୁରୁତ୍ୱ ଦିଆଗଲା । ପରେ ପରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରସଗୋଲା ଦିବସ ପାଳନ ହେଲା ।

ଓଡ଼ିଶାର ପୁରୀ ସହରରେ ପ୍ରଥମେ ରସଗୋଲା ତିଆରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା କଟକର ସାଲେପୁର ଓ ଭୁବନେଶ୍ୱର ପାହଳ ଠାରେ ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ପ୍ରମାଣର ଅଭାବ ହେତୁ ରସଗୋଲା ବିଷୟରେ ସଠିକ ମସିହା ଲିପିବଦ୍ଧ ହୋଇପାରିନାହି । ଜଗନ୍ନାଥ ମନ୍ଦିରର ରୋଷଘରେ ତିଆରି ହେଉଥିଲା କ୍ଷୀରମୋହନ (ରସଗୋଲା) ।

୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର କରିବାର ଯୋଜନା ହୋଇଥିଲା । ଯେଉଁଥିରେ ସୋସିଆଲ ମିଡ଼ିଆ ଏକ ଗୁରତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ।