ଆଜି ନୀଳାଦ୍ରି ବିଜେ : ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ ପରେ ନୀଳକନ୍ଦରକୁ ଫେରିବେ ମହାବାହୁ

238

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ତିନି ଠାକୁର । ଆଜି ରତ୍ନ ସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ ଦିନ, ଏହାକୁ ହିଁ ନୀଳାଦ୍ରିବିଜେ କୁହାଯାଏ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ । ସେଥିପାଇଁ ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ନୀତିକାନ୍ତି ମଧ୍ୟ ଚୂଡ଼ାନ୍ତ ହୋଇଛି । ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତୀ ଓ ସଂଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।

ସେପଟେ ନୀତି ସଅଳ ହେବାର ମଧ୍ୟ ସମ୍ଭାବନା ରହିଛି । ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କାଳିଆ ସାଆନ୍ତ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିବେ । ତାଙ୍କୁ ନନେଇ ଭାଇଭଉଣୀଙ୍କୁ ସାଥୀରେ ଧରି କାଳିଆ ଠାକୁର ମାଉସୀ ଘରକୁ ଯାଇଥିଲେ । ଏଥିପାଇଁ ଲକ୍ଷ୍ମୀ ଠାକୁଠାଣୀ ଅଭିମାନ କରିଥିବା ବେଳେ ତାଙ୍କ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ କାଳିଆ ଠାକୁର ।