ପୂରା ଗାଁକୁ ଠକି ଦେଲା ସାଇବର ଠକ । ଅନଲାଇନ୍ ଆପ୍ ଜରିଆରେ ଚୂନା ଲଗାଇଲା ପାଖାପାଖି କୋଟିଏ ଟଙ୍କା । ଟଙ୍କା ୩ ଗୁଣ ହେବା ଲୋଭ ପଡ଼ିଲା ମହଙ୍ଗା

1,089

କନକ ବ୍ୟୁରୋ: ଜଣେ କି ଦୁଇ ଜଣ ନୁହେଁ ପୂରା ଗାଁକୁ ଚୂନ ଲଗାଇଦେଲା ସାଇବର ଠକ । ଟଙ୍କା ତିନି ଗୁଣା କରିବାର ଲୋଭ ଦେଖାଇ ଏକ ଆପ ମାଧ୍ୟମରେ ଗୋଟିଏ ଗାଁରୁ ନେଇଗଲା କୋଟିଏରୁ ଅଧିକ ଟଙ୍କା । ଲୋଭର ବଶବର୍ତୀ ହୋଇ ଟଙ୍କା ବାନ୍ଧିଥିଲେ ଯୁବକରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ । ଆଉ ଟଙ୍କା ଗଲା ପରେ ଅତିକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଗ୍ରାମବାସୀ ।

  • ଟଙ୍କା ତିନି ଗୁଣା ହେବାର ଲୋଭ ଦେଖାଇଲା
  • ପୂରା ଗାଁକୁ ଠକିଦେଲା ସାଇବର ଠକ

ମୋବାଇଲର ଟି ଆଣ୍ଡ ଜି ଆପ୍ ସମସ୍ତଙ୍କୁ ବାୟା କଲା । ଟଙ୍କା ବିନିଯୋଗ କଲେ ୩ ଗୁଣା ଟଙ୍କା ଫେରି ପାଇବେ । ଆପରେ ଏଭଳି ଅଫର ଦେଖି ପରେ ପୁରା ଗାଁଟା ଯାକର ଲୋକେ ଟଙ୍କା ବାନ୍ଧି ଠକି ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବଡରାମପଲ୍ଲୀ ଗାଁ ଲୋକଙ୍କୁ ସାଇବର ଠକ ଚୁନା ଲଗାଇଛି । କିଏ ୧୦ ହଜାର ଟଙ୍କା, କିଏ ୨୦ ହଜାର, କେହି କେହି ଲକ୍ଷାଧିକ ଟଙ୍କା ଦେଇ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଆପରେ ଟଙ୍କା ଦେଖାଉଛି ହେଲେ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇପାରୁନାହିଁ । ଟି ଆଣ୍ଡ ଜି ଆପର କର୍ମକର୍ତା ସହ ଯୋଗାଯୋଗ ହୋଇପାରୁନଥିବାରୁ ପୁରା ଗାଁରେ ଭାଳେଣି ପଡିଯାଇଛି ।

ପ୍ରଥମେ ବଡରାମପଲ୍ଲୀ ଗାଁର କୃଷ୍ଣ ଚନ୍ଦ୍ର ମହାକୁଡ ନାମକ ଜଣେ ଯୁବକ ଟି ଆଣ୍ଡ ଜି ନାମକ ଏକ ଆପରେ ପ୍ରଥମେ ୪ ହଜାର ଟଙ୍କା ଡିପୋଜିଟ କରିଥିଲେ । ସେହି ଆପରେ ପ୍ରତ୍ୟେକ ଦିନ ୮୦୦ ଟଙ୍କା ପାଉଥିଲେ । ଏହାକୁ ଦେଖି ଗାଁର ଏକାଧିକ ଲୋକ ଆପ ଖୋଲି ଟଙ୍କା ଡିପୋଜିଟ୍ କଲେ । ପ୍ରଥମେ ପ୍ରଥମେ କିଛି କିଛି ଟଙ୍କା ମଧ୍ୟ ଫେରି ପାଇଲେ । ଜୁଲାଇ ୧୪ରୁ ୧୭ ତାରିଖ ଭିତରେ ଟଙ୍କା ଜମା କଲେ ଅଳ୍ପ ଦିନରେ ୩ ଗୁଣା ଟଙ୍କା ପାଇବାର ଅଫର ପାଇ ଗାଁର ୯୦ ପ୍ରତିଶତ ଲୋକ ଟଙ୍କା ବାନ୍ଧିଲେ । କିଏ ଘର ଖର୍ଚ ପାଇଁ ଟଙ୍କା ରଖିଥିଲା ତ କିଏ ନିଜର ଚାଷ ବାସ ପାଇଁ ଟଙ୍କା ରଖିଥିଲା । ତିନି ଗୁଣା ଟଙ୍କା ଲୋଭରେ ପଡି ଏବେ ପସ୍ତାଉଛନ୍ତି । ତେବେ ବଡରାମପଲ୍ଲୀ ଆଖପାଖ ଗାଁରେ ମଧ୍ୟ ଏହି ଟି ଆଣ୍ଡ ଜି ଆପ କାୟା ମେଲାଇ ଥିବାରୁ ଲୋକେ ଠକାମୀରେ ପଡିଯାଇଛନ୍ତି ।